ଚୀନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଭାରତ ନିଜ କ୍ଷେତ୍ରର ପ୍ରତ୍ୟେକଟି ଅଂଶକୁ ସୁରକ୍ଷିତ ରଖିବ

ନୂଆଦିଲ୍ଲୀ: ଭାରତ ଏକ ଶାନ୍ତିପ୍ରିୟ ଦେଶ ଯିଏକି ସର୍ବଦା ନିଜ ପଡ଼ୋଶୀଙ୍କ ସହ ବନ୍ଧୁତାପୂର୍ଣ୍ଣ ସମ୍ବନ୍ଧ ରଖିବାକୁ ଚେଷ୍ଟା କରିଛି। ଭାରତ ନିଜ କ୍ଷେତ୍ରର ପ୍ରତ୍ୟେକଟି ଅଂଶକୁ ସୁରକ୍ଷା ପ୍ରଦାନ କରିବ। ଚୀନ ଏକ ମହାଶକ୍ତି ଯାହା ପାଖରେ ଅସ୍ତ୍ରଶସ୍ତ୍ର କିମ୍ବା ଟଙ୍କା କୌଣସି ଜିନିଷର ଅଭାବ ନାହିଁ । ନିଜ ଜମି ପାଇଁ ଭାରତ ଯଦି ଚୀନ ସହ ଭିଡ଼ିବା ପାଇଁ ପ୍ରସ୍ତୁତ ଅଛି ତେବେ ପାକିସ୍ତାନ ଓ ନେପାଳ ଏସମ୍ବନ୍ଧରେ ଚିନ୍ତା କରିବା ଉଚିତ ନୁହେଁ। ଆଜି ଅଚାନକ ଲେହ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିମୁ କ୍ୟାମ୍ପରେ ଯବାନଙ୍କୁ ଉଦବୋଧନ ଦେଇ ଏପରି କହିଛନ୍ତି।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଯବାନଙ୍କୁ ଆହୁରି କହିଛନ୍ତି କି, ଆପଣମାନଙ୍କ ଧୈର୍ଯ୍ୟ ଓ ବୀରତାକୁ ସମଗ୍ର ଦେଶ ସଲାମ କରୁଛି। ଆପଣମାନେ ଯେଉଁ ସାହସ ଦେଖାଇଛନ୍ତି ତାହା ପ୍ରଶଂସନୀୟ। ଆମର ସଙ୍କଳ୍ପ ହିମାଳୟ ପରି ଉଚ୍ଚ। ଆଉ ଆପଣଙ୍କ ସାମର୍ଥ୍ୟ ଆପଣଙ୍କ ଆଖିରୁ ହିଁ ନଜର ଆସୁଛି। ଏହି ମାଟି, ପାଣି, ପଥର, ଭାରତୀୟ ଯବାନଙ୍କ ପରାକ୍ରମର ସାକ୍ଷୀ। ମା’ ଭାରତୀର ମାନ-ସମ୍ମାନ ରକ୍ଷା କରିବାରେ ଆପଣଙ୍କ ସମର୍ପଣ ଅତୁଳନୀୟ। ଯେଉଁ କଠିନ ପରିସ୍ଥିତିର ସାମ୍ନା କରି ଆପଣମାନେ ମା’ ଭାରତୀର ରକ୍ଷା ଓ ସେବା କରୁଛନ୍ତି ତା’ର ମୁକାବିଲା ସମଗ୍ର ବିଶ୍ୱର କେହି କରିପାରିବେ ନାହିଁ। ଦେଶକୁ ସୁରକ୍ଷିତ ରଖିବାର ଦାୟିତ୍ୱ ଆପଣମାନଙ୍କ ହାତରେ ରହିଥିବାରୁ କେବଳ ମୁଁ ନୁହେଁ ସମଗ୍ର ଦେଶବାସୀ ନିଶ୍ଚିନ୍ତ ଅଛନ୍ତି।

ଆମେ ବଂଶୀଧାରୀ ଶ୍ରୀକୃଷ୍ଣଙ୍କୁ ପୂଜା କରୁ ତ ସୁଦର୍ଶନ ଚକ୍ରଧାରୀ ରୂପକୁ ମଧ୍ୟ ଆଦର୍ଶ ମାନିଥାଉ।’ ଏଭଳି ଆକ୍ରମଣ ଦ୍ୱାରା ଭାରତ ଅଧିକ ସଶକ୍ତ ହୋଇ ସାମ୍ନାକୁ ଆସିଛି। ଭାରତ ମାନବ କଲ୍ୟାଣ ପାଇଁ ଆଜି ଜଳ-ସ୍ଥଳ -ଆକାଶରେ ନିଜର କ୍ଷମତା ବଢ଼ାଉଛି। ବିଶ୍ୱ ଶାନ୍ତି ହେଉ କି ବିଶ୍ୱ ଯୁଦ୍ଧ ଯେତେବେଳେ ବି ଆବଶ୍ୟକ ପଡ଼ିଛି ସମଗ୍ର ବିଶ୍ୱ ଆମ ପରାକ୍ରମ ଦେଖିବା ସହ ଅନୁଭବ ମଧ୍ୟ କରିଛି। ଆମେ ସର୍ବଦା ମାନବିକତା ରକ୍ଷା କରିବା ପାଇଁ କାମ କରିଛୁ।

ଚୀନକୁ ଚେତାବନୀ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ବିଶ୍ୱ ବିସ୍ତାରବାଦ ନୁହେଁ, ବିକାଶବାଦକୁ ଅଧିକ ଗୁରୁତ୍ୱ ଦେଉଛି। ବିସ୍ତାରବାଦର ଯୁଗ ସମାପ୍ତ ହୋଇସାରିଛି। ବିସ୍ତାରବାଦ ହିଁ ମାନବିକତାର ବିନାଶର କାରଣ ହୋଇଛି। ଏଭଳି ଶକ୍ତି ସବୁବେଳେ ପରାସ୍ତ ହୋଇଛି। ଠିକକୁ ଠିକ୍ କହିବା ଓ କରି ଦେଖାଇବା ହିଁ ସାହସ। ଆମେ ଏକ ସଶକ୍ତ ଓ ଆତ୍ମନିର୍ଭର ଭାରତ ନିଶ୍ଚୟ ତିଆରି କରିବା।

ସୂଚନାଯୋଗ୍ୟ, ଚୀନ ସହ ସୀମା ବିବାଦକୁ ନେଇ ଜାରି ରହିଥିବା ଚିନ୍ତାଜନକ ପରିସ୍ଥିତି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷା ସ୍ଥିତି ସମୀକ୍ଷା କରିବା ପାଇଁ ଲଦାଖ ଗସ୍ତ କରିଛନ୍ତି। ଏହି ଅବସରରେ ସେ ଭାରତୀୟ ସେନାର ଯବାନଙ୍କୁ ସମ୍ବୋଧିତ କରିଥିଲେ। ଜୁନ୍ ୧୫ ତାରିଖରେ ଗଲୱାନ ଘାଟିରେ ନିଜ ବୀରତା ପ୍ରଦର୍ଶନ କରି ଦେଶପାଇଁ ପ୍ରାଣବଳି ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।