କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନର ଶତାଧିକ କର୍ମୀ ଓ ନେତା ସାମିଲ ହୋଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ କେତେକ ନୀତିକୁ ବିରୋଧ କରିଛନ୍ତି।

ବିଶେଷ କରି ଶ୍ରମ ଆଇନ ସଂଶୋଧନ ଓ ଶ୍ରମ କାର୍ଡ ଲାଗୁ କରିବା, ଲକଡାଉନରେ କାର୍ଯ୍ୟ ହରାଇଥିବା ସମସ୍ତ ଶ୍ରମିକଙ୍କୁ ମଜୁରୀ ପ୍ରଦାନ ସହ ସେମାନଙ୍କୁ ପୁନଃ ନିଯୁକ୍ତି, ଓଡ଼ିଶାରେ ବନ୍ଦ ଥିବା କାରଖାନା ଗୁଡିକର ପୁନଃଉଦ୍ଧାର, ବନ୍ଦ ଖଣିଗୁଡିକୁ ଚାଲୁକରି ଛଟେଇ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ଓ ମୃତ୍ୟୁ ବରଣ କରିଥିବା କୋଭିଡ ଯୋଦ୍ଧାଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦାବି କରିଛନ୍ତି।

ଏହି ବିକ୍ଷୋଭରେ ଏଆଇଟିୟୁସି ରାଜ୍ୟ ସମ୍ପାଦକ ମହେଶ୍ୱର ରାଉତ, ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତ, ସହ ସମ୍ପାଦକ କପିଳ ମହାନ୍ତି, ସିଆଇଟିୟୁ ଜିଲ୍ଲା ସମ୍ପାଦକ ଇନ୍ଦ୍ରମଣି ବେହେରା, ଧରଣୀଧର ମହାନ୍ତ, ଏଚଏମଏସର ସଞ୍ଜୀବ ପଲେଇ, ଡବର ମୁଣ୍ଡା, ଆଇଏନଟିୟୁସିର ବରକତୁଲ୍ଲା ଖାଁ, ମୋହନ ପରିଡା, ସଞ୍ଜୀବ ରଣା, ଏଆଇସିଟିୟୁର ମହେନ୍ଦ୍ର ମହାନ୍ତି ଏବଂ ଶ୍ରମିକ ନେତା ରାଜାରାମ ମୁଣ୍ଡା, ଶ୍ରୀହରି ଘଣା, କାହ୍ନୁ ଚରଣ ସାମଲ, ଏମ ବଦୃଜାମା ହୃଦାନନ୍ଦ ପାତ୍ର, ଖଗେଶ୍ୱର ମହାନ୍ତ ପ୍ରମୁଖ ନେତୃତ୍ୱ ନେଇଥିଲେ। ଶେଷରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।