ସଡ଼କ ଦୁର୍ଘଟଣାରେ ଜଣେ ପଞ୍ଚାୟତ ଅଧିକାରୀ ମୃତ, ଅନ୍ୟଜଣେ ଗୁରୁତର

କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଦୁଇ ପଞ୍ଚାୟତ ଅଧିକାରୀ ଗତକାଲି ସନ୍ଧ୍ୟାରେ ବାଇକରେ ଘରକୁ ଫେରୁଥିବା ସମୟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଜଣେ ଅଧିକାରୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଗୁରୁବାର ସନ୍ଧ୍ୟାରେ ବ୍ଲକର ସମସ୍ତ ପଞ୍ଚାୟତ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ସାରି ଦୁଇ ପଞ୍ଚାୟତ ଅଧିକାରୀ ନିଜ ଘର କୁଡୁମୁଲୁଗୁମ୍ମା ଏବଂ ଖଇରିପୁଟକୁ ଫେରିବା ସମୟରେ କୁଡୁମୁଲୁଗୁମ୍ମା ପୂର୍ବରୁ ଡ୍ରାଇଭରଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣା ହୋଇଥିଲା। ପରେ ଦୁଇ ଅଧିକାରୀଙ୍କୁ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ନିଳାକାମ୍ବେରୁ ପଞ୍ଚାୟତ ଅଧିକାରୀ ସୁଦର୍ଶନ ଘାରାମୀଙ୍କୁ ମୃତ ଘୋଷଣା କରିଥିବାବେଳେ ଡୁଡ଼ାମେଟା ପଞ୍ଚାୟତ ଅଧିକାରୀ ଭାସ୍କର ଖରାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଦେଖି ତାଙ୍କୁ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିଲେ। ଏହାସହ ମୃତକଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଖଇରିପୁଟକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ଆଜି ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିଲା। ତାଙ୍କ ବାସଭବନରେ ଆଜି ଅନ୍ତିମ ସଂସ୍କାର ଶେଷ ହୋଇଛି। ଏହି ଖବର ବ୍ଲକ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।