ଅର୍ଥ ଅଭାବରୁ ଯୁବକର ଆସନ୍ନ ମୃତ୍ୟୁକୁ ଅପେକ୍ଷା: ଖବର ପ୍ରକାଶ ପରେ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବଲଣ୍ଡା ପଞ୍ଚାୟତର ଜଣେ ଯୁବକ ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ହୋଇ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିଥିବା ସମ୍ପର୍କିତ ଖବର ଗତକାଲି ନିତିଦିନରେ ପ୍ରକାଶିତ ହୋଇଥିଲା। ଖବର ଆଧାରରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ବାରକୋଟ ତହସିଲଦାରଙ୍କୁ ପୀଡିତାର ଚିକିତ୍ସା ପାଇଁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ ସହ ଚିକିତ୍ସା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାରକୋଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟୁନୁ ମେହେର ପୀଡିତାଙ୍କ ଘରକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି।

ଏଥିସହ ଉକ୍ତ ଗରିବ ପରିବାରର ରୋଜଗାର କ୍ଷମ ସଦସ୍ୟ ଶଯ୍ୟାସାୟୀ ରହିଥିବାରୁ ସେମାନଙ୍କୁ ଲକଡାଉନ ସମୟରେ ଚାଉଳ ପ୍ରଦାନ ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ଆଦେଶ ଦେଇଥିଲେ। ଏଥିସହ ଯୁବକର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ବ୍ୟବସ୍ଥା କରାଯିବ ବୋଲି ବିଡିଓ ଶ୍ରୀ ମେହେର ସୂଚନା ଦେଇଛନ୍ତି। ସେହିପରି ବାରକୋଟ ଥାନା ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଓ ପ୍ରଦୀପ ରଞ୍ଜନ ପାତ୍ର ଉକ୍ତ ପରିବାର ନିକଟକୁ ଯାଇ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇବା ପରେ ବହୁ ସହୃଦୟ ବ୍ୟକ୍ତି ଉକ୍ତ ପରିବାରକୁ ସହାୟତା ପାଇଁ ହାତ ବଢାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଗତ ଏପ୍ରିଲ ୧୬ ତାରିଖରେ ବଲଣ୍ଡା ଗ୍ରାମ ଜଙ୍ଗଲ ରାସ୍ତାରେ ଜନ୍ତୁ ଶିକାର ପାଇଁ ଉକ୍ତ ଗ୍ରାମର ୨ ବ୍ୟକ୍ତି ବିଦ୍ୟୁତ ଫାସ ବସାଇଥିଲେ। ସେହି ସମୟରେ ଉକ୍ତ ରାସ୍ତା ଦେଇ ବଲଣ୍ଡା ଗ୍ରାମର ମୁନୀ ଭୂୟାଁଙ୍କ ବଡ଼ ପୁଅ ବିଭୁ ଭୂୟାଁ ନିଜ ଘରକୁ ଫେରୁଥିବା ବେଳେ ବିଦ୍ୟୁତ ଫାସରେ ଛନ୍ଦି ହୋଇ ଗୁରୁତର ଭାବେ ପୋଡ଼ିଯାଇଥିଲେ। ସେଠାରୁ ତାଙ୍କୁ ପ୍ରଥମେ ବାରକୋଟ ଓ ପରେ ଦେବଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅସ୍ତ୍ରୋପଚାର କରାଯାଇ ବିଭୁଙ୍କ ବାମ ହାତ କଟାଯାଇଥିବା ବେଳେ ଶରୀରର ୮୦ ପ୍ରତିଶତ ଅଂଶ ପୋଡିଯାଇଥିଲା। ତେଣୁ ତାଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକତା ଥିବା ଦର୍ଶାଇ ବୁର୍ଲା ଡାକ୍ତରଖାନାରୁ କଟକକୁ ସ୍ଥାନାନ୍ତର ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା। ମାତ୍ର ବିଭୁଙ୍କ ପରିବାର ଶ୍ରମିକ ଶ୍ରେଣୀର ହୋଇଥିବାରୁ ତାଙ୍କୁ କଟକ ନେବାରେ ଅସମର୍ଥ ହୋଇଥିଲେ। ପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇଆସିଥିଲେ।