ଜୁଆ ଆଡ୍ଡାରେ ଚଢ଼ଉ ବେଳେ ପୁଲିସକୁ ଆକ୍ରମଣ; ୨ ଗିରଫ ୧୯ ବାଇକ ଜବତ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିପାଣି ଗ୍ରାମ ତାରିଣୀ ମନ୍ଦିର ପଛପଟେ ଥିବା ଜଙ୍ଗଲ ନିକଟସ୍ଥ ଜୁଆ ଆଡ୍ଡାରେ ଚଢ଼ଉ କରିବା ସମୟରେ ପୁଲିସକୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଚଢ଼ଉ ସମୟରେ ଜୁଆଡିମାନେ ପୁଲିସ ଉପରକୁ ପଥରମାଡ଼ କରି ଖସିପଳାଇଥିଲେ। ଏଥିରେ ପୁଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇଥିବା ବେଳେ ୨ ଜଣ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ପୁଲିସ ନଗଦ ଟଙ୍କା, ଘୁଡଘୁଡି ପଟି ଓ ୧୯ଟି ବାଇକ ଜବତ କରିଛି।

ପୁଲିସ ସୂଚନା ଅନୁସାରେ ଖୁଲୁଣ୍ଡିପାଣି ଗ୍ରାମ ତାରିଣୀ ମନ୍ଦିର ପଛପଟେ ଥିବା ଜଙ୍ଗଲରେ ଜୁଆ ଖେଳ ଚାଲୁଥିବା ଖବରପାଇ ଏସଡିପିଓ ସୁଲେମାନ ଏକ୍କାଙ୍କ ନିର୍ଦ୍ଦେଶରେ ବାରକୋଟ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ ରଞ୍ଜନ ପାତ୍ର ସଦଳବଳେ ସେଠାରେ ଚଢ଼ଉ କରିଥିଲେ। ପୁଲିସକୁ ସେଠାରେ ଦେଖି ଜୁଆଡିମାନେ ପଥରମାଡ କରି ସେଠାରୁ ଖସିପଳାଇଥିଲେ। ଏହି ଆକ୍ରମଣରେ ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ଓ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ପାତ୍ର ଆହତ ହୋଇଥିଲେ। ପରେ ପୁଲିସ ଜୁଆଡିଙ୍କ ପିଛାକରି ୨ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି। ଧରାପଡ଼ିଥିବା ୨ ଜଣଙ୍କ ମଧ୍ୟରେ ଜଣେ ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡକୁଦର ଗ୍ରାମର ଲକ୍ଷ୍ମଣ ଚନ୍ଦ୍ର କିସାନ(୫୦) ଓ ଅନ୍ୟଜଣେ ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ଟୁଣିଆପାଲି ଗ୍ରାମର ଲୋକନାଥ ଓରାମ(୨୮)। ସେମାନଙ୍କ ନାମରେ ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।