ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ କରମତଲା ପଞ୍ଚାୟତ ତୁଷ୍ଟାପାଳି ଗ୍ରାମର ମଦନ ଦେଓଙ୍କ ଝିଅ ପୁନମ ଦେଓ(୪)ଙ୍କ ପୋଖରୀରେ ବୁଡି ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଘର ପାଖରେ ଥିବା ଏକ ପୋଖରୀ ନିକଟରେ ୨ ଜଣ ଶିଶୁ ଦିନେସ ଓ ପୁନମ ଖେଳୁଥିଲେ। ଏହି ସମୟରେ ପୁନମର ଗୋଡ଼ ଖସିଯିବାରୁ ସେ ପୋଖରୀରେ ପଡ଼ିଯାଇଥିଲା। ପରେ ଦିନେସ ତାକୁ ଉଦ୍ଧାର କରିବା ଚେଷ୍ଟା କରୁଥିବା ବେଳେ ସେ ମଧ୍ୟ ପୋଖରୀରେ ପଡ଼ିଯାଇଥିଲା।
ସେଠାରେ ଦିନେସ ଚିତ୍କାର କରିବାରୁ ପରିବାର ଲୋକେ ସେହି ସ୍ଥାନରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ପୁନମର ଚେତା ନଫେରିବାରୁ ସଙ୍ଗେ ସଙ୍ଗେ ସଇଁନ୍ତଳା ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଇଁନ୍ତଳା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ତଦନ୍ତ କରୁଛି। କୁନି ଝିଅଙ୍କ ମୃତ୍ୟୁ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।