ଭର୍ଚୁଆଲ କନ୍ଧମାଳ ସାହିତ୍ୟ ମହୋତ୍ସବ ଉଦଘାଟିତ; ଓଡ଼ିଶାର ଆଦିବାସୀ ସଂସ୍କୃତି ଅତ୍ୟନ୍ତ ଉଚ୍ଚ: ଡ.ପ୍ରତିଭା ରାୟ

ଫୁଲବାଣୀ,ଏନ୍ଏନ୍ଏସ୍: ଓଡ଼ିଶାର ଆଦିବାସୀ ସଂସ୍କୃତି ଅତ୍ୟନ୍ତ ଉଚ୍ଚ। ସେମାନଙ୍କ ପରମ୍ପରାରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ସେମାନଙ୍କ ଭୌଗଳିକ, ପାରମ୍ପାରିକ ପ୍ରଥା ବିଷୟରେ ନଜାଣି ସେମାନଙ୍କୁ ଆଧୁନିକତାର ମାପ କାଠିରେ ତଉଲିବା ଭୁଲ ବୋଲି କହିଛନ୍ତି ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଲେଖିକା ପଦ୍ମଶ୍ରୀ ଡ.ପ୍ରତିଭା ରାୟ। ମହାମାରୀ କରୋନା ପାଇଁ ଚଳିତବର୍ଷ ଭର୍ଚୁଆଲ ମାଧ୍ୟମରେ କନ୍ଧମାଳ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହାକୁ ଉଦ୍ଘାଟନ କରି ଡ. ରାୟ ଆଦିବାସୀ ସଂସ୍କୃତି କନ୍ଧମାଳର ଆଦିରୂପ ଉପରେ ଆଲୋଚନା କରିଥିଲେ।

ଏଥିରେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା କନ୍ଧମାଲର ପୂର୍ବତନ ଜିଲ୍ଲାପାଳ ଡ. ଅରବିନ୍ଦ ବେହେରା ଯୋଗଦେଇ କୁଇ ଭାଷା, ସଂସ୍କୃତି ଓ ସାହିତ୍ୟର ଉନ୍ନତି ହେଲେ ଯାଇ କନ୍ଧମାଳର ଉନ୍ନତି ହେବ ବୋଲି ମତପ୍ରକାଶ କରିଥିବାବେଳେ ଓରମାସର ମୁଖ୍ୟ ତଥା କନ୍ଧମାଳ ପୂର୍ବତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ୍ କନ୍ଧମାଳ ଅଦା ଓ ହଳଦିକୁ ନେଇ ଜିଲ୍ଲାରେ ପ୍ରକ୍ରୀୟାକରଣ ଶିଳ୍ପ ପ୍ରତିଷ୍ଠା ହୋଇପାରିଲେ କନ୍ଧମାଳବାସୀଙ୍କ ଆର୍ଥିକ ସ୍ଥିତ ଉନ୍ନତ ହୋଇପାରିବ ବୋଲି କହିଥିଲେ। ଅନ୍ୟତମ ଆଲୋଚକ ଭାବେ ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ ଯୋଗଦେଇ ପୂର୍ବଦିନ ଅପେକ୍ଷା ଆଦିବାସୀମାନେ ସେମାନଙ୍କ ଅଧିକାର ସମ୍ପର୍କରେ ଯଥେଷ୍ଟ ସଚେତନ ହେଲେଣି ବୋଲି ମତପ୍ରକାଶ କରିଥିଲେ।

ଏହି ଅଧିବାଶେନକୁ କବି କେଦାର ମିଶ୍ର ପରିଚାଳନା କରିଥିଲେ। ଏହାପରେ ତୃତୀୟ ଅଧିବେଶନରେ ଆଲୋଚକ ଭାବେ ଓଡିଶା ଓ କନ୍ଧମାଳର ବହୁ ପ୍ରତିଷ୍ଠିତ ସାହିତ୍ୟିକଙ୍କ ସହ ଆଲୋଚକ ଡ.କ୍ଷେତ୍ରବାସୀ ମାନସେଠ୍, ଅନୁଜ ମୋହନ ପ୍ରଧାନ, ଡ.ନିରାକାର କହଁର, ଜ୍ୟୋର୍ତିମୟୀ କହଁର, ପୃଥୀବିରାଜ ମଣ୍ଡଳ, ବିଦେଶୀ ନାୟକ ପ୍ରମୁଖ ଯୋଗଦେଇଥିଲେ। ଶେଷ ପର୍ଯ୍ୟାୟରେ କବି ରବୀନ୍ଦ୍ରନାଥ ମିଶ୍ର, ସୁଜିତ୍ ପଣ୍ଡା, ପ୍ରଣତି ତ୍ରିପାଠୀ, ପ୍ରଦୀପ କହଁର, ହରପ୍ରିୟା ମିଶ୍ର ଓ ଗିରିଜା ପ୍ରସାଦ ମିଶ୍ର ପ୍ରମୁଖ ସାମିଲ୍ ହୋଇ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମଟିକୁ କଳିଙ୍ଗ ସାହିତ୍ୟ ମହୋତ୍ସବ ତଥା କନ୍ଧମାଳ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ା ପରିଚାଳନା କରିଥିବାବେଳେ ସିତାଂଶୁ ମହାପାତ୍ର, ଦେବାଶିଷ ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ।