ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ରାମଚନ୍ଦ୍ରପୁର (ଆମ୍ବୁଲପାଣି ) ଗ୍ରାମରେ ପୋଖରୀରେ ବୁଡି ଜଣେ ସପ୍ତମଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଆଜି ଅପରାହ୍ଣରେ ଆମ୍ବୁଲ ପାଣି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଲାକ୍ରାଙ୍କ ଝିଅ ପାର୍ବତୀ ଲାକ୍ରା ସାଙ୍ଗମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲା। ଗୋଡ଼ ଖସିଯିବାରୁ ପାର୍ବତୀ ଗଭୀର ପାଣିରେ ବୁଡ଼ି ଯାଇଥିଲା। ଏନେଇ ସାଥୀମାନେ ସୂଚନା ଦେବାପରେ ଗ୍ରାମବାସୀ ପାର୍ବତୀକୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେବଗଡ଼ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ଜବତ କରିଥିବାବେଳେ ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛି।