୪ଦିନ ମଧ୍ୟରେ ଆଉ ଜଣେ ଯୁବକଙ୍କ ଆତ୍ମହତ୍ୟା

ଓଡ଼ଗାଁ,ଏନ୍ଏନ୍ଏସ୍: ଓଡ଼ଗାଁ ଥାନା କୁରାଳ ଫାଣ୍ଡି ଅଂଚଳରେ ଆତ୍ମହତ୍ୟା ଯେପରି ଏକ ଧାରାରେ ପରିଣତ ହୋଇଯାଇଛି। ଗତ ଗୁରୁବାର ଦିନ କୁରାଳ ଗଡ଼ସାହିର ଜଣେ ଯୁବକ ଆତ୍ମହତ୍ୟା କରିଥିବାବେଳେ ଆଜି ଗିରିଡ଼ିପଲ୍ଲୀର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଗିରିଡ଼ିପଲ୍ଲୀ ଗ୍ରାମର ଦେବରାଜ ବେହେରାଙ୍କ ମଝିଆଁ ପୁଅ ଦେବୀପ୍ରସାଦ ବେହେରା(୧୯) ଘରେ କେହି ନଥିବା ସମୟରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନଥିବାବେଳେ ଓଡ଼ଗାଁ ପୁଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିବା ସହିତ ଆତ୍ମହତ୍ୟାର କାରଣ ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ଏହି ଫାଣ୍ଡି ଅନ୍ତର୍ଗତ କୁରାଳ ଗ୍ରାମ ଗଡ଼ସାହୀର ବସନ୍ତ କୁମାର ପାଣିଗ୍ରାହୀଙ୍କ ପୁଅ ବୈଦ୍ୟନାଥ ପାଣିଗ୍ରାହୀ ଓରଫ ଲିପୁ ମଧ୍ୟାହ୍ନ ସମୟରେ ଘରକୁ ଫେରି ଉପର ମହଲାର ଗୋଟିଏ ବଖରାରେ ଆତ୍ମହତ୍ୟା କରିଥିଲେ। ଏନେଇ କାରଣ ଅସ୍ପଷ୍ଟ ରହିଥିବା ବେଳେ ଆଜି ସମାନ ଧରଣରେ ଏହି ଅଂଚଳର ଆଉ ଜଣେ ଯୁବକଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଚକିତ କରିଦେଇଛି।