ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୬୬ତମ ସଂସ୍କରଣରେ ଦେଶବାସୀଙ୍କୁ ମନର କଥା କହିଛନ୍ତି। ଏହି କାର୍ଯ୍ୟକ୍ରମ ଆରମ୍ଭରେ ସୀମାରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାରଙ୍କୁ ସଲାମ କରିଛନ୍ତି ମୋଦୀ। ଏଥିସହ ସୀମା ସୁରକ୍ଷାରେ ସାଲିସ କରାଯିବ ନାହିଁ, ଭାରତ ଉପରେ ନଜର ପକାଇଲେ କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି।
ଏଥିସହ କହିଛନ୍ତି ଯେ, ଭାରତ ବନ୍ଧୁତ୍ୱ ସ୍ଥାପନ କରିବା ଜାଣେ, ଆଉ ଜବାବ୍ ଦେବା ମଧ୍ୟ ଜାଣେ। ଲଦାଖରେ ଶତ୍ରୁଙ୍କୁ ଯବାନମାନେ କଡ଼ା ଜବାବ୍ ଦେଇଛନ୍ତି। ଯବାନଙ୍କ ପ୍ରାଣବଳୀ ବୃଥା ଯିବନି, ତାଙ୍କ ପାଇଁ ଗର୍ବ କରିବା। ସମସ୍ତଙ୍କ ସଂକଳ୍ପ ଓ ସମର୍ପଣ ଭାବ ଆମ ଦେଶର ଶକ୍ତି। ଭାରତ ଆତ୍ମ ନିର୍ଭରଶୀଳ ଦିଗରେ ଅଗ୍ରସର ହେଉଛି। ଏଥିରେ ଆମେ କରୋନାକୁ ହରାଇବା, ଦେଶକୁ ମଜଭୁତ କରିବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ “ମନ୍ କି ବାତ୍’ରେ ଭାରତବାସୀ କିଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଲଢ଼ି ସଫଳ ହୋଇଛନ୍ତି ସେ ବିଷୟରେ ମଧ୍ୟ କହିଥିଲେ। ୨୦୨୦ରେ ଆମ ଦେଶ କୋରୋନା ଭଳି ମହାମାରୀର ଲଢ଼େଇ କରିବା ସହ ବାତ୍ୟା ‘ଅମ୍ଫାନ’ ଏବଂ ନିସର୍ଗ, ପଙ୍ଗପାଳ, ଭୂମିକମ୍ପ ଏବଂ ଚୀନ ସହ ବିବାଦର ସମସ୍ୟାକୁ ସାମ୍ନା କରିଛି। ଆମର ଇତିହାସ ଦର୍ଶାଏ ଯେ, ଆମେ ସବୁବେଳେ ଅନେକ ବଡ଼ ବଡ଼ ସମସ୍ୟାର ସାମ୍ନା ସାହସର ସହ କରିଛୁ ଏବଂ ଏହା ଦ୍ୱାରା ଅଧିକ ଶକ୍ତିଶାଳୀ ହୋଇଛୁ।
ଅନ୍ୟପଟେ ଆତ୍ମନିର୍ଭର ଭାରତ ଉପରେ ଆଲୋଚନା କରି ସେ କହିଥିଲେ ଯେ, ଭାରତବାସୀ ଆତ୍ମନିର୍ଭରଶୀଳ ହେବା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନକୁ ସମର୍ଥନ ଜଣାଇଛନ୍ତି। ଏହା ସହ ବିଦେଶୀ ଜିନିଷ ବ୍ୟବହାର ନକରି ନିଜ ଦେଶରେ ତିଆରି ହେଉଥିବା ଜିନିଷ ବ୍ୟବହାର କରିବା ପାଇଁ ମନ ବଳାଉଛନ୍ତି।