ଚାଇଲ୍ଡ ଲାଇନ ପକ୍ଷରୁ ମାନସିକ ଅସୁସ୍ଥ ନାବାଳକ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେହେରାମାଲ କିଶାନ ଛକରୁ ଏକ ୧୪ ବର୍ଷର ମାନସିକ ଅସୁସ୍ଥ ନାବାଳକକୁ ଚାଇଲ୍ଡ ଲାଇନ ପକ୍ଷରୁ ଉଦ୍ଧାର କରାଯାଇଛି। ନାବାଳକକୁ ଡାକ୍ତରୀ ଚିକିତ୍ସା ପରେ ମିଶନ ଆଶ୍ରାର କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଏନେଇ ଜିଲ୍ଲା ଚାଇଲ୍ଡ ଲାଇନ ସଂଯୋଜକ ଆଶିଷ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ବେହେରାମାଲ ଛକରେ ନାବାଳକ ଜଣକ ବୁଲୁଥିବାର ଦେଖି ଜିଲ୍ଲା ପୁଲିସ ପଚରାଉଚୁରା କରିଥିଲା। ମାତ୍ର ସେ କିଛି କହି ନପାରିବାରୁ ପୁଲିସ ଚାଇଲ୍ଡ ଲାଇନକୁ ଖବର ଦେଇଥିଲା। ଚାଇଲ୍ଡ ଲାଇନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଷ୍ଟେସନ ଡାଏରୀ କରି ନାବାଳକକୁ ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥିତ କରିଥିଲା।

ନାବାଳକ ଜଣକ ସାମାନ୍ୟ ମାନସିକ ଅସୁସ୍ଥ ଥିବା ସହ କିଛି କହିପାରୁନଥିବାରୁ ତାଙ୍କୁ ମିଶନ ଆଶ୍ରାରେ ସାମୟିକ ଥଇଥାନ ଓ ଚିକିତ୍ସା ପ୍ରଦାନର ବ୍ୟବସ୍ଥା କରାଯାଇଥିବା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ କହିଛନ୍ତି। ଏହାସହ ନାବାଳକର ପରିବାରବର୍ଗ ଅଥବା ଅନ୍ୟ କୌଣସି ବ୍ୟକ୍ତି ତାଙ୍କୁ ଜାଣିଥିଲେ ଚାଇଲ୍ଡ ଲାଇନ, ଶିଶୁ ମଙ୍ଗଳ କମିଟି କିମ୍ବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହ ଯୋଗାଯୋଗ କରିବାକୁ ଶ୍ରୀମତୀ ପାଢ଼ୀ କହିଛନ୍ତି।