ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋଇଲା ଖଣିର ଘରୋଇ କରଣ ଓ କମର୍ସିଆଲ ମାଇନିଂକୁ ବିରୋଧ କରି ଏଆଇସିଟିୟୁ, ବିଏମ୍ଏସ୍, ଏଚ୍ଏମ୍ଏସ୍ ଓ ଆଇଏନଟିୟୁସି ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତା ଜୁଲାଇ ୨ ରୁ ୪ ପର୍ଯ୍ୟନ୍ତ ସର୍ବ ଭାରତୀୟ କୋଇଲା ଖଣି ଧର୍ମଘଟ ଡାକରା ଦିଆଯାଇଛି। ଏନେଇ ସଂଗଠନ ପକ୍ଷରୁ ଲଖନପୁର ଖଣିକ୍ଷେତ୍ର ଜିଏମଙ୍କ ଜରିଆରେ କୋଇଲା ସଚିବଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି।
ଏହି ଦାବିପତ୍ରରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଘରୋଇ ମାଲିକଙ୍କୁ କୋଇଲା ଖଣିର ବିକ୍ରି ବନ୍ଦ, କୋଇଲା ଉଦ୍ୟେଗର ସମସ୍ତ ପ୍ରକାର ଘରୋଇ କରଣ ବନ୍ଦ, ସିଏମପିଡିଇଏଲକୁ କୋଲ ଇଣ୍ଡିଆରୁ ଅଲଗା କରିବା ପ୍ରକ୍ରିୟାକୁ ସ୍ଥଗିତ, କୋଇଲା ଖଣିରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ହାଇ ପାୱାର କମିଟି ଆଧାରରେ ବେତନ ପ୍ରଦାନ ଓ ଖଣି ଶ୍ରମିକ ବେତନ ଚୁକ୍ତିନାମା ଆଧାରରେ ଆଶ୍ରିତଙ୍କୁ ଚାକିରି ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି।
ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, କୋଇଲା ଖଣିର ଘରୋଇ କରଣ ଏବଂ କମର୍ସିଆଲ ମାଇନିଂକୁ ବାରମ୍ବାର ବିରୋଧ କରିବା ସତ୍ତ୍ୱେ ସରକାର ଏହା ଉପରେ ରୋକ ଲଗାଉ ନାହାନ୍ତି। ଦେଶର ବିକାଶ ଓ ଆର୍ଥିକ ସ୍ଥିତି କୋଇଲା, ଇସ୍ପାତ, ପେଟ୍ରୋଲିୟମ ପରି ସାର୍ବଜନୀନ କ୍ଷେତ୍ର ଉପରେ ନିର୍ଭର କରେ। ଦେଶର ଜିଡିପିର ୧୦ ରୁ ୧୨ ପ୍ରତିଶତ ଏହି କ୍ଷେତ୍ରରୁ ଆସିଥାଏ। ଦେଶର ଏହା ଏକ ପ୍ରମୁଖ ରାଜସ୍ୱ। ମାତ୍ର ଭାରତ ସରକାର ସାର୍ବଜନୀନ କ୍ଷେତ୍ରର ଏହି ଉଦ୍ୟୋଗକୁ ବିକ୍ରି କରୁଛନ୍ତି। ତେଣୁ ସରକାର ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରି ସାର୍ବଜନୀନ କ୍ଷେତ୍ରର ଘରୋଇ କରଣ ଉପରେ ରୋକ ଲଗାଇବାକୁ ସଂଗଠନ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଶ୍ରମିକ ସଂଗଠନର ଅନିତ ଚକ୍ରବର୍ତ୍ତୀ, ମହେଶ୍ୱର ମହାନ୍ତି, ଦେବରାଜ ପ୍ରଧାନ, ରବୀନ୍ଦ୍ର ପ୍ରସାଦ, ସୁଜିତ ଝା, ଟଙ୍କଧର ପଧାନ, ପ୍ରଦୀପ କରାଳୀ, କୁନୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।