ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କଲଣ୍ଡା ପଂଚାୟତର ସରପଚଂଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ବୈଠକ କରୋମ ଅଭାବରୁ ବାତିଲ ହୋଇଯାଇଛି। ମିଳିଥିବା ରିପୋର୍ଟ ମୁତାବକ, କଲଣ୍ଡା ପଂଚାୟତର ସରପଂଚ ଶକୁନ୍ତଳା ପ୍ରଧାନଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆଣିି ଉକ୍ତ ପଂଚାୟତର ନାଏବ ସରପଂଚ ମାର୍କଣ୍ଡେୟ ନନ୍ଦ ଅନ୍ୟ ୱାର୍ଡ ମେମ୍ବରଙ୍କ ସହ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କୁ ଦରଖାସ୍ତ କରିଥିଲେ। ଏହି ଆଧାରରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ଗତ ୧୧ତାରିଖ ଦିନ ନୋଟିସ ଜାରି କରାଯାଇ ଅନସ୍ଥା ପ୍ରସ୍ତାବ ଆଗତ ପାଇଁ ୨୬ ତାରିଖକୁ ସମୟ ଧାର୍ଯ୍ୟ କରାଯାଇଥିଲା। ଏହି କ୍ରମରେ ଆଜି କଲଣ୍ଡା ଗ୍ରାମପଂଚାୟତର ଗ୍ରାମ ମଣ୍ଡପଠାରେ ଥିବା ଅସ୍ଥାୟୀ କାର୍ଯ୍ୟାଳୟରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ଏଥିରେ ଦେବଗଡ଼ ତହସିଲଦାର ପଲ୍ଲଭି ନାୟକଙ୍କୁ ପ୍ରିଜାଇଡିଂ ଅଫିସରଭାବେ ନିୟୋଜିତ କରାଯାଇଥିବା ବେଳେ ମାଜିଷ୍ଟ୍ରେଟ ଭାବେ ତିଲେଇବଣୀ ବିଡିଓ କୃଷ୍ଣଚନ୍ଦ୍ର ଦଳପତ ଓ ବୈଠକ ପରିଚାଳନା ପାଇଁ ଜିପିଓ କିଶୋର ଚନ୍ଦ୍ର ନାୟକଙ୍କୁ ନିୟୋଜିତ କରାଯାଇଥିଲା। ମାତ୍ର ସରପଂଚଙ୍କ ସମେତ ୧୨ ୱାର୍ଡ ସଦସ୍ୟଙ୍କୁ ନେଇ ଗଠିତ କଲଣ୍ଡା ପଂଚାୟତର ୭ଜଣ ୱାର୍ଡ ସଦସ୍ୟ ଉପସ୍ଥିତ ରହିଥିବାବେଳେ ସରପଂଚଙ୍କ ସମେତ ୫ଜଣ ଅନୁପସ୍ଥିତ ରହିଥିଲେ। ଫଳରେ କରୋମ ଅଭାବରୁ ଆଜିର ଏହି ଅନାସ୍ଥା ପ୍ରସ୍ତାବ ବୈଠକକୁ ବାତିଲ କରାଯାଇଥିବା ଜଣାପଡ଼ିଛି।