ସୁପ୍ରିମକୋର୍ଟ କଟକଣା: ମନ୍ଦିର ବେଢ଼ା ଭିତରେ ହେଲା ପହଣ୍ଡି

ମାଲକାନଗିରି,ଏନ୍ଏନ୍ଏସ୍: ସୁପ୍ରିମକାର୍ଟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରି ମାଲକାନଗିରି ଜିଲ୍ଲାବ୍ୟାପି ଘୋଷଯାତ୍ରା ପାଳିତ ହୋଇଯାଇଛି। ଜିଲ୍ଲା ସଦର ମହକୁମାସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୁଖ୍ୟ ଫାଟକରେ ତାଲା ପକାଇ କୋଭିଡ-୧୯ ନିୟମକୁ ପାଳନ କରାଯାଇ ମନ୍ଦିର ବେଢ଼ା ଭିତରେ ରୀତିନିତି ଅନୁଯାୟୀ ପଟିଦିଅଁଙ୍କ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା। ପରେ ରଥରେ ଦିଅଁଙ୍କୁ ରଖାଯାଇ ମନ୍ଦିର ପରିସରରେ ଅସ୍ଥାୟୀ ମାଉଁସିମା ଘରକୁ ନିଆ ଯାଇଥିଲା। ଏଥିରେ ରାଜପୁରୋହିତ ବିନାୟକ ଶତପଥୀ, ତହସିଲଦାର ଡା.ଗୁଣନିଧି ନାୟକ, ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମପ୍ରସାଦ ନାଗ ଓ କିଛି ସେବାୟତ ଉପସ୍ଥିତ ଥିଲେ। ଭକ୍ତଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଥିବାରୁ କୌଣସି ଭକ୍ତଙ୍କ ସମାଗମ ହୋଇନଥିଲା।

ସେହିପରି ଚିଦାନନ୍ଦ ସାହିସ୍ଥିତ ବନ ବିଭାଗର ଜଗନ୍ନାଥ ମନ୍ଦିରରେ ଘୋଷଯାତ୍ରା କୋଭିଡ-୧୯ ନିୟମ ଅନୁଯାୟୀ ପାଳିତ ହୋଇଯାଇଛି। ଏଥିରେ ଖଣ୍ଡିୟ ବନାଧିକାରୀ ପ୍ରଦୀପ ଦେବୀଦାସ ମୀରାସେ , ସହକାରୀ ବନ ସଂରକ୍ଷକ ଶ୍ରୀକାନ୍ତ ନାୟକ, ବନାଂଚଳ ଅଧିକାରୀ ବାସୁଦେବ ନାୟକ ଓ ବନ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।