ଦାରିଙ୍ଗବାଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ

 ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତୁଡୁକିବାଡ଼ିରେ ଜଣେ ଶିକ୍ଷକ ସ୍ଥାନୀୟ ଅଞ୍ଚଳରୁ କରୋନା ପଜିଟିଭ ଚିହ୍ନଟ ହେବାପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ସେଥିପାଇଁ ଆଜି ଦାରିଙ୍ଗବାଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି ଘୋଷଣା କରିଛନ୍ତି। ଏନେଇ ଦାରିଙ୍ଗବାଡ଼ି ଅଂଚଳରେ ମାଇକଯୋଗେ ପ୍ରଚାର ପ୍ରସାର କରାଯାଇଥିବା ନେଇ ବିଡିଓ ଜଗଦୀଶ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ଆଜି ସକାଳୁ ଜିଲ୍ଲାପାଳ ଦାରିଙ୍ଗବାଡ଼ିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପରେ ଏହି ପଞ୍ଚାୟତ ଅନ୍ତର୍ଗତ ତୁଡୁକିବାଡ଼ି, ରୁକାନ ବାଡ଼ି , ବଜାର ସାହି, ଲଦ ପାଙ୍ଗା, ଅଂଚଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବାଉଁଶ ବ୍ୟାରିକେଟ ଦ୍ୱାରା ବନ୍ଦ କରାଯାଇଛି । ଏଥିସହିତ ଡବେରୀ ଚେକ ନାକା ସହିତ ପରମପାଙ୍ଗା, ଗ୍ରୀନବାଡ଼ି ଓ ସାରିଙ୍ଗିଇର୍ପି ଅଞ୍ଚଳକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ଅଞ୍ଚଳ ଗୁଡ଼ିକରୁ କାହାରିକୁ ବାହାରକୁ ନଯିବା ଏବଂ ବାହାରୁ କୌଣସି ଲୋକ କଣ୍ଟେନମେଣ୍ଟ ଜୋନ ମଧ୍ୟକୁ ପ୍ରବେଶକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ସେହିପରି ବଫର ଜୋନ ଘୋଷିତ ହୋଇଥିବା ଅଞ୍ଚଳକୁ ମଧ୍ୟ ବ୍ୟାରିକେଟ କରାଯାଇଥିବା ବେଳେ କେବଳ ମେଡିକାଲକୁ ଯିବା ଆସିବା ପାଇଁ ଅନୁମତି ଦିଆଯାଇଥିବା ସୂଚନା ମିଳିଛି। କଣ୍ଟେନମେଣ୍ଟ ଓ ବଫର ଜୋନ ଅଂଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟଗୁଡ଼ିକୁ ବନ୍ଦ କରିଦିଆଯାଇଥିବା ବେଳେ ଦାରିଙ୍ଗବାଡ଼ି ଥାନା ସମେତ ତହସିଲ ଅଫିସ ବ୍ଲକ କାର୍ୟ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ରହିବ। ଅନ୍ୟପଟେ ଔଷଧ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କୁ ଯୋଗାଇଦେବା ପାଇଁ ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସେହିପରି ଉକ୍ତ ଅଂଚଳର ସମସ୍ତ ଲୋକଙ୍କ ସ୍କ୍ରିନିଂ କରିବା ସହିତ ସେମାନଙ୍କ ସ୍ୱାବ ନମୁନା ସଂଗ୍ରହ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଦାରିଙ୍ଗବାଡ଼ି ତହସିଲଦାର ନୀତିଶ କୁମାର ତ୍ରିପାଠୀଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇଥିବାବେଳେ କନ୍ଧମାଳ ଏସପି ପ୍ରତୀକ ଗୀତା ସିଂଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ଥାନାଅଧିକାରୀ କୌଶକି ମାଝୀ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷିତ ଅଞ୍ଚଳରେ ପାଟ୍ରୋଲିଂ କୁ କଡ଼ାକଡ଼ି କରିବା ସହ ବ୍ୟାରିକେଟ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରିଛନ୍ତି।

ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ିର ଏକ ସଙ୍ଗରୋଧ କେନ୍ଦ୍ର ଦାୟି୍ତ୍ୱରେ ଥିବା ଜଣେ ଶିକ୍ଷକଙ୍କଠାରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ୧୬ତାରିଖରେ କରୋନା ଟେଷ୍ଟ ପାଇଁ ସ୍ୱାବ ନମୁନା ପଠାଯାଇଥିଲା ଯାହାର ରିପୋର୍ଟ ପଜିଟିଭ ଆସିଛି। ତେବେ କ୍ୱାରେଣ୍ଟାଇନ ସମୟରେ ଶିକ୍ଷକ ଜଣକ ଘରେ ରହିବା ବଦଳରେ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିଥିଲେ । ଫଳରେ ସଂକ୍ରମଣ ବଢ଼ିବା ଆଶଙ୍କା କରି ଦାରିଙ୍ଗବାଡ଼ି ସରପଞ୍ଚ ରାଧାକାନ୍ତ ପ୍ରଧାନ ୪୮ ଘଣ୍ଟା ପାଇଁ ଦାରିଙ୍ଗବାଡ଼ିକୁ ସଟଡାଉନ ଘୋଷଣା କରିଥିଲେ। ତେବେ ସରପଂଚଙ୍କ ସଟଡାଉନ ଘୋଷଣାକୁ ପ୍ରଶାସନ ପକ୍ଷରୁ ଅସହଯୋଗ କରାଯିବାରୁ ସେ ଏହାକୁ ପ୍ରତ୍ୟାହୃତ କରି ନେଇଥିଲେ। ଆଉ ଯଦି ସଂକ୍ରମଣ ବଢ଼େ ତେବେ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି କ୍ଷୋଭର ସହିତ ଶ୍ରୀ ପ୍ରଧାନ କହିଥିଲେ ।