ଚୀନ ସହ ମୁକାବିଲା ପାଇଁ ସେନାକୁ ମିଳିଲା ପୂର୍ଣ୍ଣ କ୍ଷମତା

ନୂଆଦିଲ୍ଲୀ, ଏନ୍ଏନ୍ଏସ୍: ଚୀନର କୌଣସି ହିଂସକ ଆକ୍ରମଣକୁ ଦୃଢ଼ଭାବେ ମୁକାବିଲା କରିବା ପାଇଁ ଭାରତୀୟ ସେନାକୁ ସମସ୍ତ ପ୍ରକାର କ୍ଷମତା ପ୍ରଦାନ କରାଯାଇଛି। ଏଲଏସିରେ ଚୀନ ସେନାର ଦୁଃସାହସକୁ ମୁକାବିଲା କରିବା ପାଇଁ ଭାରତୀୟ ସେନାକୁ ଗୁଳି ଚାଳନା ଓ ଅସ୍ତ୍ରଚାଳନାର ସ୍ୱାଧୀନତା ମିଳିଯାଇଛି।

ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଲଦାଖର ସ୍ଥିତି ଓ ଭାରତୀୟ ସେନାର ପ୍ରସ୍ତୁତିକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମୀକ୍ଷା କରିଛନ୍ତି। ଆଜି ଦିଲ୍ଲୀରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ତିନି ସେନାର ମୁଖ୍ୟ ଓ ସିଡିଏସ ଜେନେରାଲ ବିପିନ ରାୱତ ଯୋଗ ଦେଇଥିଲେ। ପାଖାପାଖି ଘଣ୍ଟାଏ ଚାଲିଥିବା ଏହି ବୈଠକରେ ଚୀନ ସୀମାରେ ଉତ୍ପନ୍ନ ହେଉଥିବା କୌଣସି ପ୍ରକାର ଜଟିଳ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଭାରତୀୟ ସେନାର ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିଥିଲେ।

ରାଜନାଥ ସିଂ ଆସନ୍ତାକାଲି ଋଷ ଯାଉଥିବାରୁ ଏହା ପୂର୍ବରୁ ଲଦାଖ ସ୍ଥିତି ସମୀକ୍ଷା କରିଛନ୍ତି। ଋଷର ୭୫ ବର୍ଷୀୟ ସ୍ମାରକୀ ବିଜୟ ଉତ୍ସବ ଉପଲକ୍ଷେ ହେବାକୁ ଥିବା ଏକ ବିଶାଳ ପ୍ୟାରେଡରେ ଯୋଗଦେବା ପାଇଁ ଆସନ୍ତାକାଲି ଋଷର ରାଜଧାନୀ ମସ୍କୋ ଗସ୍ତ କରିବେ।

ସୂଚନାଯୋଗ୍ୟ, ଚୀନ ସହ ଲାଗି ରହିଥିବା ବିବାଦର ମୁକାବିଲା କରିବା ପାଇଁ ସେନା ବାହିନୀକୁ କେନ୍ଦ୍ର ସରକାର ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ଯଦ୍ୱାରା ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତର ଯେକୌଣସି ଅସ୍ତ୍ରଶସ୍ତ୍ର ତିନି ସେନା କେନ୍ଦ୍ର ସରକାରଙ୍କ ଅନୁମତି ବିନା କିଣିପାରିବେ।