ଜଙ୍ଗଲରେ ପୋତା ହେବାକୁ ଯାଉଥିଲା ଶବ , ଗଣମାଧ୍ୟମ ହସ୍ତକ୍ଷେପ ପରେ ଶବକୁ ମିଳିଲା ସମ୍ମାନ

ବାରିପଦା,ଏନ୍ଏନ୍ଏସ୍ : ସାଧାରଣତଃ କୌଣସି ବ୍ୟକ୍ତିର ମୃତ୍ୟୁହେଲେ ଅନ୍ତିମ ସଂସ୍କାର ପାଇଁ ପରିବାର ସଦସ୍ୟ, ବନ୍ଧୁବାନ୍ଧବ, ଆତ୍ମୀୟ ପରିଜନ ଶବକୁ କାନ୍ଧ ଦେଇ ଶ୍ମଶାନକୁ ଦାହ ନିମନ୍ତେ ନେଇଥାନ୍ତି । ମାତ୍ର ବାରିପଦା ସହରରେ ଏହାର ବିପରୀତ ଦେଖିବାକୁ ମିଳିଥିଲା । ଆଜି ୩ ଜଣ ବ୍ୟକ୍ତି ଟ୍ରଲିରେ ଏକ ଶବକୁ ବୋହି ମେଞ୍ଚାବନ୍ଧା ଜଙ୍ଗଲରେ ପୋତିବାକୁ ଯାଇଥିବାବେଳେ ସ୍ଥାନୀୟ ଲୋକେ ବାଧା ଦେଇଥିଲେ । ଫଳରେ ସେମାନେ ପୁଣି ଟ୍ରଲିରେ ଶବକୁ ପକାଇ ଫେରି ଆସୁଥିବା ବେଳେ ୧୮ ନମ୍ବର ଜାତୀୟ ରାଜପଥରେ କେତେକ ସ୍ଥାନୀୟ ଜନତା ଏବଂ ଗଣମାଧ୍ୟମର ପ୍ରତିନିଧିଙ୍କ ନଜରକୁ ଆସିବା ପରେ ବାରିପଦା ଟାଉନ ଥାନାକୁ ଜଣାଇଥିଲେ ।  ଥାନା ଅଧିକାରୀ ଏକ ଘରୋଇ ଆମ୍ବୁଲାନ ପଠାଇ ଶବକୁ ଦାହ ନିମନ୍ତେ ଶ୍ମଶାନକୁ ପଠାଇଥିଲେ । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଵାରିପଦା ସହରର ପାଲବଣି ଅଞ୍ଚଳରେ।

ସୂଚନା ମୁତାବକ, ମୃତ ବ୍ୟକ୍ତି ଜଣକ ଭୂତ ଓରଫ ଧନୁ ସିଂ ବୋଲି ଜଣାପଡ଼ିଥିବା ବେଳେ ତାର ଠିକଣା ବିଷୟରେ କାହାକୁ ଜଣା ନଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଧନୁ ସିଂ ଆଜକୁ ୬/୭ ବର୍ଷହେବ ପାଲବଣି ଅଞ୍ଚଳରେ ରହି ମୁଟିଆ କାମ କରୁଥିଲେ। ତେଣୁ ତାଙ୍କର ଘର ଓ ପରିବାର ସମ୍ପର୍କରେ କାହାକୁ କିଛି ଜଣା ନଥିଲା ।  ଧନୁ ପାଲବଣି ଶୀତଳଭଣ୍ଡାର ନିକଟ ଏକ ବ୍ୟବାସାୟୀଙ୍କ ନିକଟରେ ଲେବର ଭାବେ କାମ କରୁଥିଲେ । ଘରଦ୍ୱାର ନଥିବାରୁ ପାଲବଣି ଅଞ୍ଚଳର ସୁରଜ ସୋରେନ ଧନୁ ସିଂକୁ ରାତିରେ ଶୋଇବା ପାଇଁ ନିଜ ଘର ବାରଣ୍ଡାରେ ଆଶ୍ରା ଦେଇଥିଲେ। ସେହିପରି ସୁରଜ ସୋରେନଙ୍କ କହିବା ଅନୁସାରେ , ଧନୁ ୪-୫ ଦିନ ହେବ ଅସୁସ୍ଥ ଥିଲେ । ଗତକାଲି ବିଳମ୍ବିତ ରାତିରେ ବାହାରକୁ ଉଠିଥିବା ସମୟରେ ଧନୁକୁ ଡାକିଥିଲେ ମଧ୍ୟ କୌଣସି ଉତ୍ତର ଆସିନଥିଲା । ପାଖକୁ ଯାଇ ଧନୁର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ଵାରିପଦା ଟାଉନ ଥାନାରେ ଲିଖିତ ଭାବେ ଜଣାଇବା ସହ ଶବ ସତ୍କାର ବ୍ୟବସ୍ଥା କରାଇବାକୁ ନିବେଦନ କରିଥିଲେ । ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ପୋତି ଦେବାକୁ କହିଥିଲେ ବୋଲି ସୁରଜ କହିଛନ୍ତି ।  ଜାତୀୟ ରାଜପଥରେ ଟ୍ରଲିରେ ଏକ ଶବ ବୁହାଯାଉଥିବା  ଦେଖି ଜଣେ ଗଣମାଧ୍ୟମ ପ୍ରତିନିଧି ପୁଲିସକୁ ଫୋନ କରିଥିଲେ। ତେଣୁ ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ନିଜ ଖର୍ଚ୍ଚରେ ଏକ ଆମ୍ବୁଲାନ୍ସ ପଠାଇ ମୃତଦେହକୁ ମଶାଣିକୁ ନେବାରେ ସାହାଯ୍ୟ କରିଥିବା କହିଥିଲେ ।