ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଦେଓଧର ଜଳପ୍ରପାତରୁ ଗତକାଲି ରାତ୍ରିରେ ପୁଲିସ ଏକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି। ତେବେ ପୂର୍ବ ଶତୃତାକୁ ନେଇ ଏ ହତ୍ୟାକାଣ୍ଡ ହୋଇଥିବା ମୃତକଙ୍କ ପରିବାର ପକ୍ଷରୁ ଆଜି ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି।
ପୁଲିସ ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ରେଙ୍ଗାଲବେଡା ଗ୍ରାମର ପ୍ରସନ୍ନ କୁମାର ସାହୁ(୫୦) ଜନୈକ ରୋଗରେ ପୀଡ଼ିତ ଥିଲେ। ତେବେ ସେ ଗତ ୧୭ ତାରିଖ ଦିନ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ଖଳିନାଳି ଗ୍ରାମର ଅକ୍ଷୟ କଣ୍ଟିଆଲ ନାମକ ଜଣେ କବିରାଜଙ୍କ ପାଖକୁ ଯାଇଥିଲେ। ଚିକିତ୍ସା ପରେ ପ୍ରସନ୍ନ ସନ୍ଧ୍ୟାରେ ଘରକୁ ଶେଷଥର ପାଇଁ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିଲେ। ପରେ ଫୋନଟି ବନ୍ଦ ହୋଇଯାଇଥିଲା।
ପ୍ରସନ୍ନ ଉକ୍ତ ଦିନରେ ଘରକୁ ନଫେରିବାରୁ ତାଙ୍କ ପରିବାର ଲୋକେ ଜମନକିରା ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ପରେ ଦେଓଧର ଜଳପ୍ରପାତ ମଧ୍ୟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଖବରପାଇ ପରିବାର ଲୋକେ ସେଠାରେ ପହଞ୍ଚି ମୃତ ଦେହଟି ପ୍ରସନ୍ନଙ୍କର ବୋଲି ଚିହ୍ନଟ କରିଥିଲେ। ଏ ସମ୍ପର୍କରେ ପୁଲିସକୁ ସୂଚନା ଦେବା ପରେ ଦେବଗଡ଼ ପୁଲିସ ଘଟଣାସ୍ଥଳକୁ ଯାଇ ଅଗ୍ନିଶମ ବାହିନୀଙ୍କ ସହାୟତରେ ମୃତ ଦେହ ଉଦ୍ଧାର କରିଥିଲେ।
