ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଜପତି ଜିଲ୍ଲା ଅଡ଼ବା ଥାନା ଖ୍ରୀଷ୍ଟପୁର ଗାଁ ନିକଟରେ ଏକ ବସ୍ ଓଲଟି ୧୨ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଗତକାଲି ରାତିରେ ୪୦ଜଣ ଯାତ୍ରୀଙ୍କୁ ନେଇ ଏହି ଘରୋଇ ବସଟି ରାୟଗଡ଼ାରୁ କଟକ ଅଭିମୁଖେ ଯାଉଥିଲା। ତେବେ ଖ୍ରୀଷ୍ଟପୁର ଗାଁ’ ନିକଟରେ ବସର ଆଗପଟୁ ଏକ ଟ୍ରକ୍ ହଠାତ ଚାଲି ଆସିବାରୁ ଡ୍ରାଇଭର ଜଣଙ୍କ ଦୁର୍ଘଟଣାରୁ ବର୍ତ୍ତିବାକୁ ଚେଷ୍ଟା କରିଥିଲେ। ମାତ୍ର ବସଟି ଭାରସାମ୍ୟ ହରାଇ ଡାହଣ ପଟ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ପରେ ଅଡ଼ବା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଛନ୍ତି।