ଭାରତର ବୟୋଜ୍ୟେଷ୍ଠ କ୍ରିକେଟରଙ୍କ ପରଲୋକ

ମୁମ୍ବାଇ : ଭାରତର ବୟୋଜ୍ୟେଷ୍ଠ ପ୍ରଥମଶ୍ରେଣୀ କ୍ରିକେଟର ବସନ୍ତ ରାଇଜୀଙ୍କର ଶନିବାର ପରଲୋକ ହୋଇଯାଇଛି। ଚଳିତବର୍ଷ ଜାନୁଆରୀ ୨୬ ତାରିଖରେ ସେ ୧୦୦ ବର୍ଷରେ ପଦାର୍ପଣ କରିଥିଲେ। ତାଙ୍କର ପତ୍ନୀଙ୍କ ବ୍ୟତୀତ ଦୁଇ ଝିଅ ଅଛନ୍ତି। ତାଙ୍କ ଜ୍ୱାଇଁ ସୁଦର୍ଶନ ନାନାବତୀଙ୍କ ସୂଚନା ଅନୁଯାୟୀ, ରାଇଜୀ ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ସେ ଦୀର୍ଘଦିନ ହେବ ବୟସାଧିକ ରୋଗରେ ପୀଡିତ ଥିଲେ। ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଭାବେ ୧୯୪୦ ଦଶକରେ ସେ ୯ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୨୭୭ ରନ୍ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ହେଉଛି ୬୮। ଜଣେ ପ୍ରଥମଶ୍ରେଣୀ କ୍ରିକେଟର ବ୍ୟତୀତ କ୍ରିକେଟ ଐତିହାସିକ ଓ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ ମଧ୍ୟ ସେ କାମ କରିଥିଲେ।

ଜଲ୍ଲି କ୍ରିକେଟ କ୍ଲବର ପ୍ରତିଷ୍ଠାତା ରାଇଜୀ ରଣଜିତ ସିଂହଜୀ, ଦୁଲୀପ୍ ସିହଂଜୀ, ଭିକ୍ଟର ଟ୍ରମ୍ପର, ସିକେ ନାଇଡୁ ଓ ଏଲପି ଜୟଙ୍କ ଉପରେ ପୁସ୍ତକ ରଚନା କରିଛନ୍ତି। ୧୯୩୯ରେ ନାଗପୁରରେ କ୍ରିକେଟ କ୍ଲବ୍ ଅଫ୍ ଇଣ୍ଡିଆ ଟିମ୍ ପକ୍ଷରୁ ଖେଳି ସେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ଷ୍ଟିଭ୍ ୱ’ ଚଳିତବର୍ଷ ସେ ୧୦୦ ବର୍ଷରେ ପଦାର୍ପଣ କରିବା ଦିନ ତାଙ୍କୁ ସାକ୍ଷାତ କରିଥିଲେ। ତାଙ୍କ ମୃତ୍ୟୁରେ ତେନ୍ଦୁଲକର ଗଭୀର ଶୋକ ପ୍ରକାଶ କରିଛନ୍ତି। ବିସିସିଆଇ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି। ରାଇଜୀଙ୍କ ବ୍ୟତୀତ ଏବେ ଆଉ କୌଣସି ଭାରତୀୟ କ୍ରିକେଟର ଶତକ ପୂରଣ କରିବାରେ ସମର୍ଥ ହୋଇନାହାନ୍ତି।