ଦର୍ଶକଙ୍କ ଅନୁପସ୍ଥିତିରେ ଆଇପିଏଲ ଆୟୋଜନ ନେଇ ଗାଙ୍ଗୁଲିଙ୍କ ଇସାରା

ନୂଆଦିଲ୍ଲୀ,ଏଜେନ୍ସି: ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଆୟୋଜନ ହେବା ନେଇ ଆଶା ଉଜ୍ଜ୍ଵଳ ହୋଇଛି। ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ମନ୍ତବ୍ୟ ପରେ ଆଇପିଏଲ ଖେଳାଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। କରୋନା ଭୂତାଣୁ ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ସ୍ଥଗିତ କରିଦିଆଯାଇଥିବା ବିଶ୍ବର ସବୁଠାରୁ ବ୍ୟୟବହୁଳ କ୍ରିକେଟ ଲିଗ୍‌ ଆଇପିଏଲ ଦର୍ଶକଙ୍କ ଅନୁପସ୍ଥିତିରେ ଆୟୋଜନ କରାଯାଇପାରେ ବୋଲି ଏବେ ଚର୍ଚ୍ଚା ହେଉଛି।

ଏ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସବୁ ରାଜ୍ୟର କ୍ରିକେଟ ସଂଘକୁ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି, ଆମେ ଆଇପିଏଲ ଆୟୋଜନ ନେଇ ପ୍ରତିବଦ୍ଧ ଓ ଆବଶ୍ୟକ ପଡିଲେ ଏହାକୁ ଖାଲି ଷ୍ଟାଡିୟମରେ ବି ଆୟୋଜନ କରାଯାଇପାରେ। ଏଥି ସହିତ ଧୀରେ ଧୀରେ କ୍ରିକେଟ ଖେଳ ଆରମ୍ଭ ହେବ ଓ ଏଥିପାଇଁ କିଛି ସମୟ ଲାଗିପାରେ।

ତେଣୁ ଆଇପିଏଲର ୧୩ ତମ ସଂସ୍କରଣ ୨୯ ମାର୍ଚରୁ ଆରମ୍ଭ ହେବାର ଥିବା ବେଳେ କରୋନା ଯୋଗୁଁ ଏହାକୁ ଅନିଶ୍ଚିତ କାଳ ଯାଏଁ ସ୍ଥଗିତ ରଖାଯାଇଛି। ଏଭଳି ସ୍ଥିତିରେ ଆଇପିଏଲର ଆୟୋଜନ ନେଇ ସମସ୍ତ ବିକଳ୍ପ ଉପରେ ବିଚାର କରୁଛି ବିସିସିଆଇ। ଭାରତ ଓ ଅନ୍ୟ ଦେଶର ଖେଳାଳି ବି ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ବିସିସିଆଇ ଏ ବାବଦରେ ଶୀଘ୍ର ନିଷ୍ପତି ନେବା ଆଶା କରାଯାଉଛି। ଆଇପିଏଲ ଆୟୋଜନ ନ ହେଲେ ପାଖାପାଖି ୪ ହଜାର ୮ ଶହ କୋଟି କ୍ଷତି ହେବା ଆକଳନ କରାଯାଇଛି।