ପାକିସ୍ତାନର ଶେଲିଂ ମାଡ଼ରେ ଭାରତୀୟ ଯବାନ ସହିଦ, ଜଣେ ସାଧାରଣ ଲୋକ ଆହତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ ଓ କଶ୍ମୀରର ରାଜୌରି ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଠାରେ ପାକିସ୍ତାନ ପଟୁ ଶେଲିଂ ନିକ୍ଷେପ କରାଯିବାରୁ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା ଜଣାପଡ଼ିଛି।
ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ରାଜୌରି ଏବଂ ପୁଞ୍ଚ ଜିଲ୍ଲା ମଧ୍ୟ ଦେଇ ପଡ଼ିଥିବା ନିୟନ୍ତ୍ରଣ ରେଖାର ତାରକୁଣ୍ଡି ସେକ୍ଟର‌ରେ ବୁଧବାର ବିଳମ୍ବିତ ରାତ୍ରିରେ ପାକିସ୍ତାନୀ ସୈନିକମାନେ ଭୀଷଣ ଗୁଳିଗୋଳା ଚଳାଇବାରୁ ଜଣେ କର୍ତ୍ତବ୍ୟରତ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏହି କାରଣରୁ ଗୁଳି ଚାଳନା ଏବଂ ଶେଲିଂ କ୍ଷେପଣ ବିରୋଧରେ ଭାରତ ପାଲଟା ଜବାବ ଦେଇଛି।

ଆହତ ହୋଇଥିବା ସାଧାରଣ ନାଗରିକଜଣକ ହେଉଛନ୍ତି ରାଜଧାନୀ ଗ୍ରାମର ବାସିନ୍ଦା ୩୫ ବର୍ଷିୟ ନୟାମତୁଲ୍ଲା। ମୋର୍ଟାର୍ ସେଲ୍‌ର ଧାତବ ଟୁକୁରା ବାଜି ସେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା ଓ ସେ ବିପଦ ମୁକ୍ତ ଅଛନ୍ତି ବୋଲି ରାଜୌରି ଜିଲ୍ଲାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଚନ୍ଦନ କୋହଲି ସୂଚନା ଦେଇଛନ୍ତି।