ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମୁଖରେ ପଖାଲ ଖାଇ ପ୍ରତିବାଦ କଲେ ଚାଷୀ

ବରଗଡ,ଏନ୍ଏନ୍ଏସ୍ : ଧାନ ବିକ୍ରୀ ନେଇ ଅଚଳାବସ୍ଥା ଲାଗି ରହିଥିବା ବେଳେ ବୁଧବାର ବରଗଡ଼ ଜିଲ୍ଳାପାଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଅଭିନବ ଭାବରେ ପ୍ରତିବାଦ ଜଣାଇଛନ୍ତି । ବାରମ୍ବାର ଅଭିଯୋଗ ସତ୍ୱେ ଧାନ ବିକ୍ରୀ ହେଉ ନ ଥିବା ବେଳେ ଚାଷୀମାନେ ଜିଲ୍ଳାପାଳ କାର୍ଯ୍ୟାଳୟ ପହଂଚି ସାଙ୍ଗରେ ଆଣିଥିବା ପଖାଳ ଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ମାର୍କେଟ ୟାର୍ଡରୁ ଧାନ ନ ଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ ।

ଦୀର୍ଘ ସମୟ ଆନ୍ଦୋଳନ ଜାରି ରହିବା ପରେ ଜିଲ୍ଳା ଯୋଗାଣ ଅଧିକାରୀ ଜିଲ୍ଳାପାଳ କାର୍ଯ୍ୟାଳୟ ପହଂଚି ଚାଷୀମାନଙ୍କ ସହ ଆଲୋଚନା କରିବା ସହ ୧୦ ଦିନ ମଧ୍ୟରେ ସମସ୍ତ ଧାନ ଉଠାଇବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଆଗକୁ ମୌସୁମୀ ବର୍ଷା । ଏପରି ସ୍ଥିତିରେ ଚାଷୀ ହଳ ନଙ୍ଗଳ ଧରି ଆଗାମୀ ଚାଷ ପାଇଁ ବିଲରେ ଜମି ପ୍ରସ୍ତୁତିରେ ଲାଗି ପଡିବା କଥା। ମାତ୍ର ବରଗଡ଼ ଜିଲ୍ଳାର ଚାଷୀ ଏବେ ଆନ୍ଦୋଳନ ମୁହାଁ ହେଉଥିବା ପରିଲକ୍ଷିତ ହେଉଛି ।  କାରଣ ରବି ଧାନ ଅମଳ ପରେ ଦୀର୍ଘ ଦିନ ହେବ ମାର୍କେଟ ୟାର୍ଡରେ ଧାନ ବିକ୍ରୀ ପାଇଁ ନେଇଥିଲେ ସୁଦ୍ଧା ତାହା ଉଠିପାରୁ ନାହିଁ । ଯାହାକୁ ନେଇ ବାରମ୍ବାର ଚାଷୀ ଜିଲ୍ଳା ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହେବା ସହ ଅଭିନବ ଭାବରେ ପ୍ରତିବାଦ ଜଣାଇଛନ୍ତି ।

ଆଜି ଜିଲ୍ଳାର ଭେଡେନ ବ୍ଳକ ଅନ୍ତର୍ଗତ ସାଲେପାଲି ଗ୍ରାମର ଚାଷୀମାନେ ଜିଲ୍ଳାପାଳ କାର୍ଯ୍ୟାଳୟରେ ପହଂଚି ପଖାଳ ଭାତ ଖାଇ ଧାନ ବିକ୍ରୀ ହେଉ ନ ଥିବାର ପ୍ରତିବାଦ କରିଥିଲେ । ଗତ ମେ’ମାସ ୮ ତାରିଖରୁ ବରଗଡ଼ ଜିଲ୍ଳାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେହିଦିନ ଠାରୁ ସାଲେପାଲି କ୍ରୟ କେନ୍ଦ୍ରରେ ମାତ୍ର ୮ ହଜାର ବସ୍ତା ଧାନ ଉଠିଥିବା ବେଳେ ବର୍ତମାନ ପ୍ରାୟ ୩୫ ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହିଛି। ଯାହାକୁ ନେଇ ଚାଷୀମାନେ ବାରମ୍ବାର ଜିଲ୍ଳା ପ୍ରଶାସନ ଦ୍ୱାରସ୍ଥ ହୋଇ ମାର୍କେଟ ୟାର୍ଡରୁ ଧାନ ଉଠାଇବାକୁ ଦାବି କରିଥିଲେ । ସାଲେପାଲି ଗ୍ରାମର ଚାଷୀ ତିନି ତିନି ଥର ଜିଲ୍ଳା ପ୍ରଶାସନର ଦ୍ୱାରସ୍ଥ ହୋଇ ଏ ନେଇ ଗୁହାରୀ କରିଥିଲେ ।

ମାତ୍ର ଜିଲ୍ଳା ପ୍ରଶାସନ ଚାଷୀଙ୍କ ଦାବି ପ୍ରତି ଅଣଦେଖା କରିଚାଲିଥିଲେ। ସେହିପରି ରବି ଚାଷ ପାଇଁ ଆଣିଥିବା ସାର, ବିହନ , କୀଟନାଶକ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ଆର୍ଥିକ ଭାବରେ ଅସହାୟ ହୋଇପଡିଛି। ଯାହାକୁ ନେଇ ବୁଧବାର ସାଲେପାଲି ଗ୍ରାମର ଚାଷୀମାନେ ଜିଲ୍ଳାପାଲଳ କାର୍ଯ୍ୟାଳୟକୁ ପହଂଚି ସାଙ୍ଗରେ ଆଣିଥିବା ପଖାଳ ଭାତ ଖାଇ ବିକ୍ଷୋଭ କରିବା ସହ ଅଭିନବ ଭାବରେ ପ୍ରତିବାଦ କରିଥିଲେ । ସାଲେପାଲି କ୍ରୟ କେନ୍ଦ୍ରରୁ ଧାନ ନ ଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଥିବା ବେଳେ ଜିଲ୍ଳା ଯୋଗାଣ ଅଧିକାରୀ ଦୁର୍ଗା ଚରଣ ଭେତ୍ସା ପହଂଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ।