ମଙ୍ଗଳାବାଗରୁ ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ

କଟକ,ଏନ୍ଏନ୍ଏସ୍: ସଟଡାଉନରେ କଟକରେ ମାତିଲେ ଲୁଟେରା। ମଙ୍ଗଳବାଗ ଶଗଡିଆ ସାହିରେ ଶନିବାର ରାତିରେ ଲୁଟେରା ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ପରିବାର ଲୋକେ ଶୋଇଥିବାବେଳେ କବାଟ ବାହାରପଟୁ ବନ୍ଦ କରି ଲୁଟେରା ଏହି କାଣ୍ଡ କରିଛନ୍ତି। ଘଟଣାରେ ମଙ୍ଗଳବାଗ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଏତେ ବଡ ଲୁଟ ଘଟଣା ପରେ ପୁଲିସର ପାଟ୍ରୋଲିଂ ନେଇ ବି ପ୍ରଶ୍ନ ଉଠିଛି।

ରାଣୀହାଟ ଶଗଡିଆ ସାହିର ମନୋଜ କୁମାର ସାହୁଙ୍କ ପରିବାର ଶନିବାର ରାତି ୧୨ ଟାରେ ଶୋଇବାକୁ ଯାଇଥିଲେ। ପରଦିନ ସକାଳେ ମନୋଜଙ୍କ ଉଉଣୀ ଘରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଲୁଟେରାମାନେ ଘରକୁ ବାହାରପଟୁ ବନ୍ଦ କରି ସୁନା ଅଳଙ୍କାର ଭର୍ତି ଟିଣବାକ୍ସକୁ ଟେକି ନେଇଥିଲେ। ଚୋରି ଜିନିଷ ମଧ୍ୟରେ ଠାକୁରଙ୍କ ମୁକୁଟ ଓ ମୂର୍ତି ରହିଛି । ଚୋରି ଅଳଙ୍କାର ଓ ଟଙ୍କାର ଆନୁମାନିକ ମୂଲ୍ୟ ୪୦ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଗତ ଜାନୁଆରୀରେ ମଧ୍ୟର ମନୋଜଙ୍କ ଘରୁ ୪୦ ଭରି ଓଜନର ସୁନା ଅଳଙ୍କାର ଚୋରି ହୋଇଥିଲା। ତେଣୁ ଘଟଣାକୁ ପୁଲିସ ଗୁରୁତର ସହ ନେଇଛି। ଘଟଣା ପରେ ସନ୍ଦିଗ୍ଧ ସମ୍ପର୍କୀୟ ଗାଏବ ହୋଇଯାଇଛି।