ସାନ ଭଇର ମୃତ୍ୟୁ ପରେ ପରିବାରବର୍ଗଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ଆଉ ଜଣେ ଭଉଣୀ ମୃତ

ଝାରସୁଗୁଡା,ଏନ୍ଏନ୍ଏସ୍: ସାନଭାଇ ଦୀପକ ବିଶ୍ୱାଳ(୨୨)ର ମୃତ୍ୟୁ ପରେ ଝାରସୁଗୁଡା ଜିଲ୍ଲା ଲହୁଣ୍ଡାବୁଡ ଅଂଚଳରେ ଗତ ସୋମବାର ରାତିରେ ତିନି ଭଉଣୀ, ବଡ ଭାଇ ଓ ମା ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତବେ ବୁର୍ଲ୍ଲା ମେଡିକାଲରେ ଚିକିତିତ୍ସ ଅବସ୍ଥାରେ ଗତ ବୁଧବାର ସକାଳେ ବଡ ଭାଇ ଶ୍ରୀକାନ୍ତ ବିଶ୍ୱାଳ(୩୩) ରାତିରେ ଭଉଣୀ ପିଙ୍କି ବିଶ୍ୱାଳ(୩୦), ଗୁରୁବାର ସକାଳେ ମା ପୁଷ୍ପାବତୀ ବିଶ୍ୱାଳ (୫୮)ଙ୍କ ମୃତ୍ୟୁ ହୋଇଥିଲା। ଶୁକ୍ରବାର ସକାଳେ ପୁଣି ଏକ ଭଉଣୀ ବନ୍ଦିତା ବିଶ୍ୱାଳ(୩୫)ଙ୍କ ମୃତ୍ୟୁ ହୋଇଛି। ଗତକାଲି ଏକାସାଙ୍ଗରେ ମା ପୁଷ୍ପାବତୀ, ଭଉଣୀ ପିଙ୍କି, ଭାଇ ଶ୍ରୀକାନ୍ତଙ୍କ ଓ ଦୀପକର ଶେଷକୃତ୍ୟ ସାଙ୍ଗସାଥୀ, ସ୍ଥାନୀୟ ଲୋକ, ମାଜିଷ୍ଟ୍ରେଟ ଓ ପୁଲିସ ଉପସ୍ଥିତିରେ ସମ୍ପନ୍ନ କରାଯାଇଛି। ଅନ୍ୟପଟେ ଆଉଜଣେ ଭଉଣୀ ଲିଲି ବିଶ୍ୱାଳ(୩୮) ଚିକିତ୍ସିତ ଅବସ୍ଥାରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବିଟିଏମ ଫାଣ୍ଡି ଅଧିକାରୀ ସୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି।

ପ୍ରକାଶଯୋଗ୍ୟ ଯେ, ୨୦୧୮ ମସିହାରେ ଝାରସୁଗୁଡା ବେହେରାମାଲରେ ଏକ ବାଇକ ଦୁର୍ଘଟଣା ହୋଇଥିଲା। ଏଥିରେ ଦୀପକ ବିଶ୍ୱାଳ ଗୁରୁତର ଆହତ ହୋଇ କୋମାକୁ ଚାଲିଯାଇଥିଲେ। ଦୀପକ ଭଲ ହୋଇଯିବେ ଆସାରେ ପରିବାର ଲୋକେ ତାଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରର ବଡବଡ ମେଡିକାଲରେ ଚିକିତ୍ସା କରାଇ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ। ଏହାସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଘରେ ଦୀପକଙ୍କ ଚିକିତ୍ସା ଜାରି ରଖିଥିଲେ। ହେଲେ ଚାଲିଥିବାବେଳେ ଗତ ସୋମବାର ସେ ଗୁରୁତର ହୋଇପଡିଥିଲେ। ତେଣୁ ତାଙ୍କୁ ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା।

ସେଠାରେ ଦୀପକର ମୃତ୍ୟୁ ହୋଇଥିଲା। ଏହାପରେ ଦୀପକର ସାଙ୍ଗମାନେ ତାଙ୍କ ମୃତ ଦେହକୁ ଘରକୁ ନେଇ ଆସିଥିଲେ। ଦୀପକର ମୃତ୍ୟୁରେ ଭାଙ୍ଗିପଡି ପରିବାରର ସମସ୍ତେ ଆତ୍ମହତ୍ୟା କରିବାର ନିଷ୍ପତି ନେଇ ଫିନାଇଲ ପିଇଥିଲେ। ତେବେ ଏବିଷୟରେ ଦୀପକର ସାଙ୍ଗ ଓ ପଡୋଶୀମାନେ ଜାଣି ପାରି ରାତି ପ୍ରାୟ ୧୧ଟାରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଂଚି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବାସହ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲା। ହେଲେ ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲ୍ଲ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।