ଋଣ ଭାର ସହି ନ ପାରି ବିଷ ପିଇ ଆତ୍ମହତ୍ୟା କଲେ ବ୍ୟବସାୟୀ

କୋରୁକୋଣ୍ଡା,ଏନ୍ଏନ୍ଏସ୍ : କରୋନା ଭଳି ମହାମାରୀକୁ ଆଖି ଆଗରେ ରଖି ସରକାର ଲକଡାଉନ କଲେ ସତ କିନ୍ତୁ ଏହି ଲକଡାଉନ ହେତୁ କିଛି ବ୍ୟବସାୟୀ କଳାବଜାରୀ କରି ମାଲେମାଲ ହେଉଥିବା ବେଳେ ଆଉ କିଛି ବ୍ୟବସାୟୀ ଋଣ ଆଣି ତାକୁ ପରିଶୋଧ କରି ନ ପାରି ଦୁଃଖ କଷ୍ଟରେ ନିଜର ପରିବାର ପ୍ରତିପୋଷଣ କରୁଥିବା ଦେଖିବାକୁ ମିଳିଛି। ତେବେ ଜଣେ ବ୍ୟକ୍ତି ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ନିଜେ ବ୍ୟବସାୟ କରି ଚଳି ଆସୁଥିଲେ।

କିନ୍ତୁ ଲକଡାଉନରେ ତାଙ୍କ ବ୍ୟବସାୟ ମାନ୍ଦା ପଡିଯିବାରୁ ସେ ଋଣ ପରିଶୋଧ କରି ନ ପାରି ଶେଷରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଉକ୍ତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନାମ ସୁସେନ ହାଲଦାର(୫୧), ଘର ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତ ର ଏମଭି-୩୭ ଗ୍ରାମରେ। ତେବେ ଏହି ବ୍ୟକ୍ତି ଜଣକ ଆଗରୁ ଥରେ ୱାର୍ଡ ମେମ୍ବର ରହିଥିବା ସହିତ ବର୍ତ୍ତମାନର ମଧ୍ୟ ସେ ୱାର୍ଡ ମେମ୍ବର ଥିଲେ। ଋଣ ଆଣିଥିବା ବ୍ୟକ୍ତିମାନେ ବାରମ୍ବାର ଫୋନ ଯୋଗେ ନିଜର ବକେୟା ଅର୍ଥ ମାଗିବାରୁ ସେ କିପରି ଦେବେ ଚିନ୍ତା କରି ଶେଷରେ ସେ ଏଭଳି ନିଷ୍ପତ୍ତି ନେଇ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ଗୁରୁବାର ମଧ୍ୟାହ୍ନ ୨ ଟା ସମୟରେ ଗାଁ’ର ଶେଷ ମୁଣ୍ଡରେ ଥିବା ମଶାଣି ନିକଟରେ ଏକ ବୋତଲରେ କିଛି ବିଷାକ୍ତ ଦ୍ରବ୍ୟ ନେଇ ପିଇ ସେଠାରେ ଛଟପଟ ହୋଇ ମୃତ୍ୟୁବରଣ କରିଥିଲେ।

ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଚାରିଆଡେ ଖୋଜାଖୋଜି କରିଥିଲେ। ପରେ ସନ୍ଧ୍ୟା ସମୟରେ ଗାଁ’ ର ଶେଷ ମୁଣ୍ଡରେ ଥିବା ମଶାଣି ପାଖ ଏକ ବୁଦା ମୂଳେ ତାଙ୍କର ମୃତ ଶରୀର ପଡି ରହିଥିବା ଗାଁ’ ଲୋକେ ଦେଖିଥିଲେ। ପରେ ପରିବାର ଲୋକେ ଓରକେଲ ଥାନା କୁ ଜଣାଇବା ପରେ ଥାନାଧିକାରୀ ଜଗଦୀଶ ବାରାଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ସୁଶୀଲ କୁମାର ଦାସ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ନିମନ୍ତେ ମାଲକାନଗିରିକୁ ପଠାଇଥିଲେ। ତେବେ ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ହିଁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।