ଖଇରା,ଏନ୍ଏନ୍ଏସ୍: ଆଜି ରାଜ୍ୟ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲାରେ କରୋନା ପଜିଟିଭ ବାହାରିଥିବା ବ୍ୟକ୍ତି ଜଣକ ଖଇରା ବ୍ଲକର ବୋଲି ଜଣାପଡିଛି। ସୂଚନାରୁ ଜଣାଯାଏ ଯେ ଖଇରା ବ୍ଲକରେ ବାହାରିଥିବା କରୋନା ପଜିଟିଭ ବ୍ୟକ୍ତି ଜଣକ ରଟିଣା ପଞ୍ଚାୟତ ମୁଗୁଡିହା ଗ୍ରାମର ୩୪ବର୍ଷୀୟ ବ୍ୟକ୍ତି ଅଟନ୍ତି। ଉକ୍ତ ବ୍ୟକ୍ତି ଜଣକ କୋଲକାତାର ବାବୁବଜାର ଅଞ୍ଚଳରେ ରହି ଏକ ଫାଷ୍ଟଫୁଡ ଦୋକାନ କରିଥିଲେ।
ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି ହୋଇଥିବାରୁ ସେ ଗତ ୨୧ ତାରିଖରେ ଏକ ଆଳୁ ବୋଝେଇ ଟ୍ରକ ସହାଯ୍ୟରେ କୋଲକାତାରୁ ବାଲେଶ୍ଵର ପର୍ଯ୍ୟନ୍ତ ଆସିଥିଲେ। ସେଠାରୁ ତାଙ୍କର ଜଣେ ପରିଚିତ ବ୍ୟକ୍ତିଙ୍କ ବାଇକ ଯୋଗେ ଘରକୁ ଯାଇଥିଲେ। ବ୍ୟକ୍ତି ଜଣକ ଘରକୁ ଆସିଥିବା ଖବରପାଇ ସ୍ଥାନୀୟ ସରପଞ୍ଚ ବ୍ୟକ୍ତି ଜଣକୁ ରଟିଣା ସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଥିଲେ। ଗତ ୨୮ ତାରିଖରେ ଉକ୍ତ ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟକ୍ତି ଜଣଙ୍କର ସ୍ୱାବ ନମୂନା ସଂଗ୍ରହ କରାଯାଇଥିଲା।
