ବେଲଗାଁ’ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଠକେଇ

ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବେଲଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀ ବିପୁଳାରାନୀ ରାୟଙ୍କୁ ଷ୍ଟେଟବ୍ୟାଙ୍କ ପାଶବୁକ ଅପଡେଟ୍ କରିବା ଆଳରେ ବ୍ୟାଙ୍କ ପାଶବୁକ୍, ଏଟିଏମ୍ ପିନ ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରି ଏକ ନିର୍ଦ୍ଦିଷ୍ଟ ଆପ୍ ଡାଉନଲୋଡ କରିବାକୁ କହି ଗତ ୧୭ତାରିଖରୁ ୧୯ତାରିଖ ମଧ୍ୟରେ ୯ଥରରେ ୨ଲକ୍ଷ୩୬ହଜାର ଟଙ୍କା ଉଠାଣ କରି ସମସ୍ତ ସଞ୍ôଚତ ଅର୍ଥକୁ ସାଇବର୍ ଅପରାଧି ଲୁଟିନେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୧୭ତାରିଖରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ୯୫୪୭୦୮୫୩୯୦ ମୋବାଇଲ ଫୋନ ନମ୍ବରରେ ଏକ ଫୋନ କଲ ଆସିଥିଲା, କରୋନା ପ୍ରଭାବରୁ ବ୍ୟାଙ୍କରୁ କୌଣସି ଷ୍ଟାଫ୍ ଯାଇପାରି ନଥିବାରୁ ଫୋନରେ ତଥ୍ୟସଂଗ୍ରହ କରି ବ୍ୟାଙ୍କ ଆକାଉଣ୍ଟର କେଆଇସି ଅପଡେଟ ହେବ ବୋଲି କହି ବିଶ୍ୱାସ ଜନ୍ମାଇ ବ୍ୟାଙ୍କଖାତା ସମ୍ପର୍କିତ ସମସ୍ତ ତଥ୍ୟକୁ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ସଂଗ୍ରହ କରିବା ପରେ (କ୍ୟୁଏସ ଆପପ)ଟିକୁ ପ୍ଲେଷ୍ଟୋର ଯାଇ ଡାଉନଲୋଡ କରିବାକୁ କହିଥିଲେ ଏବଂ ଆପରେ ରାନୀ ରାୟଙ୍କ ନାମରେ ଲଗଇନ୍ କରିବାକୁ କହି ୫୦ହଜାର ଟଙ୍କା ଏବଂ ପରେ ୨୫ହଜାର ଟଙ୍କା ଲେଖିବାକୁ କହିଥିଲେ। ଇତିମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ଲୁଟେରାଙ୍କ ଚାଲକୁ ତିଳେମାତ୍ର ସନ୍ଦେହ ନକରି ସେମାନେ କହିବାନୁଯାୟୀ କାର୍ଯ୍ୟ କରିଚାଲିଥିଲେ। କିନ୍ତୁ ଆଜି ସକାଳେ ମହିଳାଙ୍କ ସ୍ୱାମୀ ଦୀପକ ରାୟଙ୍କୁ ଟଙ୍କା ଆବଶ୍ୟକ ପଡ଼ିବାରୁ ରାନୀଙ୍କୁ ଏଟିଏମ ମାଗି ଟଙ୍କା ଉଠାଣ କରିବା ପାଇଁ ଜାଣିବାକୁ ପାଇଲେ ଯେ ଆକାଉଣ୍ଟରେ ଟଙ୍କା ନାହିଁ। ଶେଷରେ ଦୁହେଁ ସାଥିହୋଇ ଉମରକୋଟ ଏସବିଆଇ ଶାଖାକୁ ଯାଇ ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ।

ତେବେ ମହିଳାଙ୍କ ଆକାଉଣ୍ଟ  -୧୧୨୫୮୬୩୫୭୫୩ରୁ ଦୁର୍ବୃତ୍ତମାନେ ୧୭ରେ-୫୦ହଜାର,୨୫ହଜାର, ୨୫ହଜାର, ୧୮ରେ ୪ଥର ୨୫ହଜାର ଏବଂ ୧୯ତାରିଖରେ ୨୫ହଜାର ଓ ୧୦ହଜାର ମୋଟରେ ୨ଲକ୍ଷ୩୬ହଜାର ଟଙ୍କା ୯ଥରରେ ଉଠାଇନେଇଯାଇଥିଲେ। ଉକ୍ତ ଘଟଣାରେ ମହିଳା କର୍ମୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ କାରଣ ତାହା ତାଙ୍କର କଷ୍ଟୋପାର୍ଜିତ ଅର୍ଥ ଥିଲା। ସେ ଉମରକୋଟରୁ ଫେରି ସନ୍ଧ୍ୟା ୭ରେ ଝରିଗାଁ ଥାନରେ ଉକ୍ତ ବିଷୟରେ ଲିଖିତ ଦେଇଥିଲେ। ସ୍ମରଣଯୋଗ୍ୟ ଯୋଗ୍ୟ ଯେ ଚଳିତମାସ ୧୨ରେ ଥାନାରେ ସାଇବର୍ ଅପରାଧୀ ସ୍ୱାସ୍ଥ୍ୟବିଭାଗରେ କାର୍ଯ୍ୟରତ କେତେକ ଆଶାକର୍ମୀଙ୍କୁ ସାନିଟାଇଜର ଓ ମାସ୍ କିଣିବାକୁ ବ୍ୟାଙ୍କ ଆକାଉଣ୍ଟକୁ ୧୫ହଜାର ପଠାଯିବ ନିଜକୁ ଜିଲାଅଧିକାରୀଙ୍କ ପରିଚୟ ଦେଇ ବିଶ୍ୱାସ ଜନ୍ମାଇ ଆଶାକର୍ମୀଙ୍କଠାରୁ ଅର୍ଥଲୁଟ କରିଥିବା ଥାନରେ ଅଭିଯୋଗ ହୋଇଥିଲା। ତେବେ ଉକ୍ତ ଘଟଣାଗୁଡ଼ିକୁ ଗୁରୁତ୍ୱର ସହ ନେଇ ସାଇବର ଅପରାଧ ଉପରେ ଲଗାମ ଦେବାକୁ ଓ ଆଗକୁ ଏପରି ଠକାମୀ ନହେବାକୁ ଲୋକଙ୍କୁ ସଚେତନ କରିବା ଆବଶ୍ୟକ।