ଅବକାରୀ ବିଭାଗ ଚଢାଉ : ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ

ଦେବଗଡ,ଏନ୍ଏନ୍ଏସ୍ : କରୋନା ଭୁତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ରୋକିବା ପାଇଁ ଲକଡାଉନ ସତ୍ୱେ ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ଓ ବିଦେଶୀ ମଦକାରବାର ଜାରୀ ରହିଛି। ଏଣୁ ଚୋରା ମଦ କାରବାର ରୋକିବା ନିମନ୍ତେ ଜିଲା ଅବକାରୀ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭାଗ ପକ୍ଷରୁ ଗତକାଲି ରିଆମାଳ ବ୍ଲକ ଅନ୍ତର୍ଗତ ତେଲିମୁଣ୍ଡା ଗ୍ରାମ ନିକଟସ୍ଥ ପଥରଘାଟ ନାଳ କଡରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଦେଶୀ ମଦ ଆଡ୍ଡା ଉପରେ ଚଢାଉ କରାଯାଇ ମଦ ରାନ୍ଧିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ୨ କ୍ୱିଂଟାଲ ୮୦ କିଲୋ ମହୁଲ ପୋଚ ଓ ୫୦ ଲିଟର ଦେଶୀ ରନ୍ଧା ମଦ ସହ ଡେକଚି ଆଦି ବହୁ ମଦ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିଲା।

ଆଜି ପୁଣି ଜିଲାର ବିଭିନ୍ନ ସ୍ଥାନରେ ଚଢାଉ କରିବା ପାଇଁ ଦେବଗଡ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାୟକ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାୟୀ ଦେବଗଡ ଅବକାରୀ ଇନ୍ସପେକ୍ଟର ପଦ୍ମଲୋଚନ ପ୍ରଧାନ ଓ ଏ.ଆସ୍.ଆଇ.ଗୋବିନ୍ଦ ସାହୁ ସଦଳବଳେ ତେଲିମୁଣ୍ଡା ଗ୍ରାମ ନିକଟସ୍ଥ ଏକ ବନ୍ଧ ହୁଡାରେ ଅଚାନକ ଚଢାଉ କରିଥିଲେ। ଚଢାଉ ସମୟରେ ସେଠାରେ ମଦ ପ୍ରସ୍ତୁତ ପାଇଁ ୬ଟି ଡ୍ରମରେ ରଖାଯାଇଥିବା ୧୨୦୦ କିଲୋ ମହୁଲ ପୋଚ ଜବତ କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଥିଲା।

ଅନୁରୂପ ଭାବେ ଅବକାରୀ ନିରୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ସବ ଇନ୍ସପେକ୍ଟର ରାଧାକାନ୍ତ ଭୋଇଙ୍କ ନେତୃତ୍ୱରେ ଅନ୍ୟ ଏକ ଟିମ ବାରକୋଟ ଥାନା ଅନ୍ତର୍ଗତ ନୁଅାଁଗାଁ,ବଗଛେରା ଓ ଘଂଟିପୋଶି ଅଂଚଳରେ ଚଢାଉ କରି ୭୦୦ କିଲୋ ମହୁଲ ପୋଚ ଓ ୨୦ ଲିଟର ରନ୍ଧା ଦେଶୀମଦ ଜବତ କରାଯାଇଥିଲା। ଏଥିସହ ବହୁ ମଦ ରନ୍ଧା ସରଞ୍ଜାମ ମଧ୍ୟ ଜବତ କରାଯାଇଥିଲା। ଏନେଇ ଅବକାରୀ ବିଭାଗ ପକ୍ଷରୁ ୨ଟି ମାମଲା ଋଜୁ କରାଯିବା ସହ ଘଟଣା ସ୍ଥଳରେ ଥିବା ନୁଆଁଗାଁ ଗ୍ରାମର ବେଣୁଧର ସୁନାୟକଙ୍କୁ ନୋଟିସ ଦେଇ ଛଡାଯାଇଥିବା ବେଳେ ଫେରାର ହୋଇଯାଇଥିବା ସାନ ସିରୋଡିହୀ ଗ୍ରାମର ମିଶ୍ର କିସାନ ବିରୁଦ୍ଧରେ ଏକ ମାମଲା ଋଜୁ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।