ନବବଧୂ ହତ୍ୟା ଅଭିଯୋଗ, ୧୫ ଘଣ୍ଟାରୁ ଊର୍ଦ୍ଧ୍ୱ ପଡ଼ି ରହିଲା ଶବ

ନୟାଗଡ଼, ଏନ୍‌ଏନ୍‌ଏସ୍ : ନୟାଗଡ଼ ଜିଲ୍ଲା ସଦରଥାନା ମାଳିସାହି ଫାଣ୍ଡି ଅନ୍ତର୍ଗତ ମାଳିସାହି ଗ୍ରାମରେ ଗତକାଲି ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଅପରାହ୍ନ ୫ ଘଟିକା ସମୟରେ ଘଟିଥିବା ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ହାତ ବାନ୍ଧି ବସିଛି।

ସୂଚନା ଅନୁସାରେ, ନୟାଗଡ଼ ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବିରିଡ଼ି ଗ୍ରାମର ରଶ୍ମିତା ମାଳିସାହି ଗ୍ରାମ ବ୍ରଜବନ୍ଧୁ ଦାଶଙ୍କ ସାନପୁଅ ବିପିନ ଦାଶଙ୍କୁ ଏକବର୍ଷ ତଳେ ବିବାହ କରିଥିଲେ। ଗତକାଲି ବିପିନଙ୍କ ପରିବାର ଲୋକେ ମିଶି ରଶ୍ମିତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଯାହାକୁ ନେଇ ବିରିଡ଼ି ଗ୍ରାମର ଶତାଧିକ ଲୋକ ମାଳିସାହିରେ ପହଂଚିଥିବା ବେଳେ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଗତକାଲି ଅପରାହ୍ନ ୫ ଘଟିକା ସମୟରୁ ରଶ୍ମିତାଙ୍କ ଶବ ପଡ଼ି ରହିଥିଲେ ମଧ୍ୟ ପୁଲିସ ନୀରବ ଦ୍ରଷ୍ଟା ସାଜିଛି। ଅନ୍ୟପକ୍ଷେ, ଗ୍ରାମରେ ଶବ ପଡ଼ି ରହିବା କାରଣରୁ ପ୍ରସିଦ୍ଧ ପୀଠ ଗତିିଶ୍ୱରଙ୍କ ମନ୍ଦିରରେ ପୂଜାର୍ଚ୍ଚନା ବନ୍ଦ ରହିଛି। ଶନିବାର ଦିନ ୧୦ଟା ବେଳକୁ ସଦରଥାନା ଅଧିକାରୀ ମାଜିଷ୍ଟେଡଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରିବା ସହ ବ୍ୟବେଚ୍ଛଦ ପାଇଁ ପଠାଇଛନ୍ତି ।