କରୋନା ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ମାଲକାନଗିର,ଏନ୍ଏନ୍ଏସ୍ : କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ନିଆଯାଇଛି। ଜିଲ୍ଲା ସଦର ମହକୁମାଠାରୁ ଆନ୍ତଃରାଜ୍ୟକୁ ଚଳପ୍ରଚଳ କରୁଥିବା ସମସ୍ତ ବସ ସେବାକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଗତକାଲି କୋରୁକୋଣ୍ଡା ସାପ୍ତାହିକ ହାଟ ଓ ଆଜି ମାଲକାନଗିରି ସାପ୍ତାହିକ ହାଟକୁ ବନ୍ଦ କରାଯାଇଛି। ତଥାପି କିଛି ବ୍ୟବସାୟୀ ଦୂରତା ବଜାୟ ରଖି ଜିନିଷପତ୍ର ବିକ୍ରି କରୁଥିବା ଦେଖାଯାଇଛି। ଏଥିସହ ପନିପରିବା ବଜାରରେ ସଫାସୁତରା ରଖିବା ସହ ଅନ୍ତତଃ ୧ ମିଟର ଦୂରତାରେ ବଜାୟ ରଖିବାକୁ ଆଜି ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ପୌର ପରିଷଦ କର୍ମଚାରୀମାନେ ପରାମର୍ଶ ଦେଇଛନ୍ତି ।

ଆଜିଠାରୁ ହାଇଦ୍ରାବାଦ , ରାୟପୁର ଯାଉଥିବା ବସକୁ ବାତିଲ କରାଯାଇଥିବା ବେଳେ ଭୂବନେଶ୍ୱରକୁ ଚଳପ୍ରଚଳ କରୁଥିବା ବସଗୁଡ଼ିକରେ ଯାତ୍ରୀଙ୍କୁ ନିର୍ଦ୍ଧିଷ୍ଟ ଦୂରତାରେ ବସିକୁ ପରାମର୍ଶ ଦିଆଯାଇଥିବାରୁ ଭୂବନଶ୍ୱେର ବସ ଚଳାଚଳ ନେଇ ଆଶଙ୍କା ପ୍ରକାଶ ପାଇଛି। ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଥିବା ସହରଗୁଡ଼ିକର ଯାତ୍ରୀଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିବା ସହ ବାହାରରାଜ୍ୟରୁ ଆସୁଥିବା ଲୋକଙ୍କ ପ୍ରତି ତୀକ୍ଷଣ ନଜର ରଖାଯାଇଛି। ଜିଲ୍ଲାର ସମସ୍ତ ଟ୍ୟୁସନ ଓ ଟ୍ୟୁଟରିଆଲକୁ ବନ୍ଦ କରାଯାଇଛି। ଜିଲ୍ଲା ସଦରମହକୁମା ଚିକିତ୍ସାଳୟରେ ଏକ ଆଇସୋଲେସନ ୱାର୍ଡ ଖୋଲାଯାଇଥିବା ବେଳେ କରୋନା ଲକ୍ଷଣ ଦେଖାଗଲେ ସ୍ୱାସ୍ଥ୍ୟ କେନ୍ଦ୍ର ଯିବାକୁ ପରାମର୍ଶ ଦିଆଯାଇଛି ।

ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ପ୍ରତି ନଜର ରଖି ଜିଲ୍ଲା ପ୍ରଶାସନକୁ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ ଏଥିପାଇଁ ସରପଂଚ, ସମିତିସଭ୍ୟ,ଆଶା, ଅଙ୍ଗନୱାଡ଼ି କର୍ମି ଓ ଜିଲ୍ଲା ପରିଷଦ ବୈଠକରେ ସଦସ୍ୟମାନଙ୍କୁ ସଚେତନତା କରାଯାଉଛି। କୌଣସି ବୈଠକରେ ୨୦ ରୁ ୨୫ ଜଣ ଯୋଗ ନ ଦେବାକୁ ପରାମର୍ଶ ଦିଆଯାଇଛି। ଜ୍ଜର ଓ କାଶ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି। ତେବେ ହାତକୁ ସାବୁନରେ ଧୋଇବା , ମୁହଁରେ ମାସ୍କ ବାନ୍ଧି ବାହାରକୁ ଯିବା, ଖୋଲାରେ ନ ଛିଙ୍କିବା ଭଳି ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନାର ପ୍ରତିରୋଧ ପାଇଁ ଜନସାଧାରଣଙ୍କ ସହଯେ୍ଧଜ୍ଞ ଆବଶ୍ୟକ ବୋଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ପ୍ରକାଶ କରିଛନ୍ତି।