ମଧ୍ୟପ୍ରଦେଶ ରାଜନୀତିରେ ସଙ୍କଟ: କମଲନାଥ ସରକାରଙ୍କ ସମସ୍ତ ୧୬ କ୍ୟାବିନେଟ୍‌ ମନ୍ତ୍ରୀ ଦେଲେ ଇସ୍ତଫା

ମଧ୍ୟପ୍ରଦେଶ,ଏଜେନ୍ସି: ମଧ୍ୟପ୍ରଦେଶ ରାଜନୀତିରେ ପୁଣି ସଙ୍କଟ। କମଲନାଥ ସରକାରଙ୍କ ସମସ୍ତ ୧୬ କ୍ୟାବିନେଟ୍‌ ମନ୍ତ୍ରୀ ଏକା ସଙ୍ଗେ ଇସ୍ତଫା ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିଥିବା କ୍ୟାବିନେଟ୍‌ ବୈଠକ ପରେ ସମସ୍ତେ ଇସ୍ତଫା ଦେଇଛନ୍ତି। ସମସ୍ତଙ୍କ ଇସ୍ତଫା ଗୃହୀତ ହୋଇଛି। ଏବେ ମଧ୍ୟପ୍ରଦେଶରେ ନୂଆ କ୍ୟାବିନେଟ୍‌ ଗଠନ ହେବ।

ସେପଟେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ୧୭ କଂଗ୍ରେସ ବିଧାୟକ ବେଙ୍ଗାଲୁରୁ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ୬ ଜଣ ମନ୍ତ୍ରୀ ଥିବା ଜଣାପଡ଼ିଛି। ସମସ୍ତଙ୍କୁ ଏକ ରିସୋର୍ଟରେ ରଖାଯାଇଛି। ସିନ୍ଧିଆ ବିଜେପିରେ ସାମିଲ ହେବା ଅନୁମାନ କରାଯାଉଛି। ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିପାରନ୍ତି ସିନ୍ଧିଆ। ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହ ଓ ଶିବରାଜ ସିଂହ ଚୌହାନ ମଧ୍ୟ ଉପସ୍ଥିତ ରହିବେ। ଏହାରି ଭିତରେ ବିଜେପି ମଧ୍ୟ ଅଙ୍କ କଷିବା ଆରମ୍ଭ କରିଛି। ବିରୋଧୀ ବିଜେପି ଆଜି ବିଧାୟକ ଦଳ ବୈଠକ ଡାକିଛି। ସେପଟେ ଆଜି କଂଗ୍ରେସର ବାଗି ବିଧାୟକମାନେ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି।