ସ୍ତ୍ରୀକୁ ବୀଭତ୍ସ ହତ୍ୟା କଲା ସ୍ୱାମୀ

ରାୟଗଡା,ଏନ୍ଏନ୍ଏସ୍: ପାରିବାରିକ କଳହରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅସନ୍ତୋଷ। ନିଜ କ୍ରୋଧକୁ ଆୟତ୍ତ ନ କରିପାରି ଏକ ଟାଙ୍ଗିଆ ଦ୍ୱାରା ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ସଦର ମହକୁମା ୭ କି.ମି ଦୂରସ୍ଥିତ କଡିଙ୍ଗଗୁଡା ଗ୍ରାମରେ। ସୂଚନା ମୁତାବକ, ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗତ କିଛି ଦିନ ହେଲା କଳହ ଲାଗିରହିଥିଲା। ଗତକାଲି ରାତିରେ ସ୍ତ୍ରୀ ବାନାଇ ଜାକାକା ଶୋଇଥିବା ସମୟରେ ସ୍ୱାମୀ ସତାନା ଜାକାକା ଏକ ଟାଙ୍ଗିଆ ଦ୍ୱାରା ସ୍ତ୍ରୀକୁ ବେକ ଏବଂ ମୁଣ୍ଡକୁ ଆଘାତ କରିଥିଲା। ବାରମ୍ବାର ଆକ୍ରମଣ ଦ୍ୱାରା ସ୍ତ୍ରୀ ବାନାଇ ଜାକାକାର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏନେଇ ସତାନା ଜାକାକା ଗାଁ ଠାରୁ ୭ କିଲୋମିଟର ଦୂର ଟାଉନ ଥାନାକୁ ଆସି ନିଜ ଘଟାଇଥିବା ହତ୍ୟାକାଣ୍ଡକୁ ପୋଲିସ ଆଗରେ ବୟାନ କରିଥିଲା।

ସତାନାର ବୟାନକୁ ଆଧାର କରି ରାୟଗଡା ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ବାନାଇକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ଗଭୀର କ୍ଷତ ଏବଂ ଅତ୍ୟାଧିକ ରକ୍ତସ୍ରାବ ଯୋଗୁଁ ବାନାଇ ଜାକାକାର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ମୃତଦେହକୁ ପୁଲିସ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ସ୍ୱାମୀ ସାତନା ଜାକାକାକୁ ଗିରଫ କରାଯାଇଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାମ ମୋହନ ସାହୁ ପ୍ରକାଶ କରିଛନ୍ତି।