କାଲିଠୁ ବିଧାନସଭା, ୧୮ରେ ପୂର୍ଣ୍ଣାଙ୍ଗ ବଜେଟ୍

  • ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ
  • ୧୮ରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ
  • ୩୧ ଟି କାର୍ୟ୍ୟ ଦିବସ , ୨ ଟି ପର୍ୟ୍ୟାୟରେ ଏପ୍ରିଲ୍ ୯ ଯାଏଁ ଚାଲିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି (ଶୁକ୍ରବାର) ଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ୨ ଟି ପର୍ୟ୍ୟାୟରେ ଏପ୍ରିଲ ୯ତାରିଖ ପର୍ୟ୍ୟନ୍ତ ଅଧିବେଶନ ଚାଲିବ । ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିବେ । ସେହିପରି ୧୮ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଚଳିତ ଅଧିବେଶନରେ ମୋଟ୍ ୩୧ଟି କାର୍ୟ୍ୟ ଦିବସ ରହିଛି । ପ୍ରଥମ ପର୍ୟ୍ୟାୟରେ ଫେବୃଆରୀ ୧୪ ତାରିଖରୁ ୨୬ ତାରିଖ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ମାର୍ଚ୍ଚ ୧୧ ତାରିଖରୁ ଏପ୍ରିଲ୍ ୯ ତାରିଖ ପର୍ୟ୍ୟନ୍ତ ଅଧିବେଶନ ଚାଲିବ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସୂଚନା ଅନୁଯାୟୀ ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ଦେବେ । ଏହାସହ ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଂଗତ ପୂର୍ବତନ ମନ୍ତ୍ରୀ ଓ ବିଧାୟକ ମାନଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିବେ । ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି , ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ଜଗନ୍ନାଥ ରାଉତ , ପୂର୍ବତନ ସଦସ୍ୟ ଭାଗିରଥୀ ଦାସ , ନାକା ଲଛମାୟା, ସଚିଦାନନ୍ଦ ଦେଓ , ଦୈତାରୀ ବେହେରା, ଗୌରହରି ନାଏକ ଏବଂ ରାଧା ଗୋବିନ୍ଦ ସାହୁଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଣିବେ ।

ଫେବୃଆରୀ ୧୫ ଓ ୧୭ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ । ୧୬ତାରିଖ ଦିନ ଗୃହ କାର୍ୟ୍ୟ ବନ୍ଦ ରହିବ । ୧୮ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ୧୯ତାରଖ ସରକାରୀ କାର୍ୟ୍ୟଦିବସ ଥିବାବେଳେ ୨୦ତାରିଖ ବେସରକାରୀ କାର୍ୟ୍ୟଦିବସ ଏବଂ ୨୧ରୁ ୨୩ତାରିଖ ମହାଶିବରାତ୍ରୀ , ଚତୁର୍ଥ ଶନିବାର ଓ ରବିବାର ଲାଗି ଛୁଟି ରହିଛି । ଫେବୃଆରୀ ୨୪ରୁ ୨୬ତାରିଖ ଦିନ ଧରି ବଜେଟ୍ ଉପରେ ଆଲୋଚନା ପରେ ଗୃହ କାର୍ୟ୍ୟ ମାର୍ଚ୍ଚ ୧୦ତାରିଖ ପର୍ୟ୍ୟନ୍ତ ମୁଲତବୀ ରହିବ । ମାର୍ଚ୍ଚ୧୧ତାରିଖରେ ଗୃହର ଦ୍ୱିତୀୟ ପର୍ୟ୍ୟାୟ ବୈଠକ ଆରମ୍ଭ ହେବ ଏବଂ ଏହି ଦିନ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହେବ ।

ମାର୍ଚ୍ଚ ୧୨ ତାରିଖରୁ ବିଭାଗୱାରି ବଜେଟ୍ ଅନୁଦାନ ଉପରେ ଆଲୋଚନା ହେବ । ମାର୍ଚ୍ଚ ୧୪ , ୧୫, ୨୨, ୨୮ ଓ ୨୯ ଏବଂ ଏପ୍ରିଲ ୧,୨ ଓ ୫ତାରିଖ ଦ୍ୱିତୀୟ ଓ ଚତୁର୍ଥ ଶନିବାର , ରବିବାର , ଉତ୍କଳ ଦିବସ ଓ ରାମ ନବମୀ ପାଇଁ ଛୁଟି ରହିବ ବୋଲି ବିଜ୍ଞପ୍ତିରୁ ଜଣାଯାଇଛି । ସେହିପରି ମାର୍ଚ୍ଚ ୩୧ରେ ୨୦୨୦-୨୧ ବର୍ଷ ପାଇଁ ବିନିୟୋଗ ବିଲ୍ ଉପସ୍ଥାପିତ ହେବ । ଏପ୍ରିଲ୍ ୩ , ୭ ଓ ୯ ତାରିଖ ବେସରକାରୀ କାର୍ୟ୍ୟ ଦିବସ ରହିଥିବା ବେଳେ ଏପ୍ରିଲ୍ ୪,୬ ଓ ୮ ତାରିଖ ସରକାରୀ ଦିବସ ରଖାଯାଇଛି । ବିଧାନସଭା ଅଧିବେଶନର କାର୍ୟ୍ୟକ୍ରମ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ଗତ ଜାନୁଆରୀ ୨୧ ତାରିଖରେ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଥିଲା ।