ଜାମ୍ମୁ,ଏଜେନ୍ସି: ଶ୍ରୀନଗର ଜାତୀୟ ରାଜପଥ ସ୍ଥିତ ଏକ ଟୋଲ ପ୍ଲାଜାରେ ଶୁକ୍ରବାର ଯାଞ୍ଚ ପ୍ରକ୍ରିୟା ଚାଲୁଥିବା ବେଳେ ଆତଙ୍କବାଦୀମାନେ ଭାରତୀୟ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ। ପରେ ସିଆରପିଏଫ ଯବାନଙ୍କ ସହିତ ଆତଙ୍କବାଦୀଙ୍କ ଗୁଳିବିନିମୟ ହୋଇଥିଲା। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ଗୁଳିବିନିମୟ ସମୟରେ ଜଣେ ଯବାନ ଆହତ ହୋଇଛନ୍ତି। ସେଠାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଶ୍ରୀନଗର ଜାତୀୟ ରାଜପଥର ନାଗରୋଟା ଅଞ୍ଚଳରେ ଥିବା ଉକ୍ତ ଟୋଲ ପ୍ଲାଜାରେ ଶୁକ୍ରବାର ଭୋର ସମୟରେ ଯବାନଙ୍କ ପକ୍ଷରୁ ଯାଞ୍ଚ କରାଯାଉଥିବାବେଳେ ଏହି ଘଟଣା ଘଟିଥିଲା। ଆତଙ୍କବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଯବାନମାନେ ଏହାର ଦୃଢ଼ ଜବାବ ଦେଇଥିଲେ।
ଏ ସମ୍ପର୍କରେ ଜାମ୍ମୁ- କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ କହିଛନ୍ତି ଯେ, ଭୋର ୫ଟାରେ ଶ୍ରୀନଗର ଯାଉଥିବା ଏକ ଟ୍ରକକୁ ଟୋଲ ପ୍ଲାଜାରେ ଯାଞ୍ଚ ପାଇଁ ଯବାନମାନେ ଅଟକାଇଥିଲେ। ଏହା ପରେ ଟ୍ରକରେ ଲୁଚିଥିବା ୪ ଆତଙ୍କୀ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ଆତଙ୍କୀ ନିକଟ ଜଙ୍ଗଲକୁ ଲୁଚି ପଳାଇଛି। ତାକୁ ଧରିବା ପାଇଁ ପୁଲିସ ଏବଂ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜାରି କରାଯାଇଛି।