କୋରୋନା ଭାଇରସକୁ ନେଇ ଡବ୍ଲୁଏଚଓ ଅନ୍ତର୍ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା

ନୂଆଦିଲ୍ଲୀ,ଏଜେନ୍ସି: ଭୟଙ୍କର ‘କୋରୋନା’ ଭାଇରସ୍‌ ବିଶ୍ଵର ୧୭ ଦେଶରେ ପହଞ୍ଚିଛି। ଭାରତ, ନେପାଳ, ତିବ୍ଦତ, କମ୍ବୋଡିଆ ଏବଂ ଶ୍ରୀଲଙ୍କାରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଗ୍ଲୋବାଲ ଏମର୍ଜେନ୍ସୀ ବା ଅନ୍ତର୍ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛି। ସମସ୍ତ ଦେଶ ଏକତ୍ର ହୋଇ ଏହି ଭୂତାଣୁର ମୁକାବିଲା କରିବା ଲାଗି ଡବ୍ଲ୍ୟୁଏଚଓ ପରାମର୍ଶ ଦେଇଛି।

ଏହା ସହିତ ବିଶ୍ଵରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି। କରୋନାଭାଇରସ୍‌ ପ୍ରକୋପ ଯୋଗୁଁ ସମଗ୍ର ଚୀନ୍‌ରେ ମୃତ୍ୟୁସଂଖ୍ୟା ୨୧୩ରେ ପହଞ୍ଚିଥିବା କଥା ଚୀନ୍‌ର ସ୍ୱାସ୍ଥ୍ୟ ଅଧିକାରୀମାନେ ଘୋଷଣା କରିବା ପରେ ‘ଡବ୍ଲୁଏଚ୍‌ଓ’ ବା ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଏହି ଘୋଷଣା କରିଛି। ସର୍ବାଧିକ କୋରୋନା ଭାଇରସ୍‌ ଆକ୍ରାନ୍ତ କେନ୍ଦ୍ରୀୟ ଚୀନ୍‌ ପ୍ରଦେଶ ହୁବେଇରେ ଗତକାଲି ଆଉ ୪୨ଜଣଙ୍କର ମୃତ୍ୟୁ ଘଟିବା ପରେ ସମୁଦାୟ ମୃତବ୍ୟକ୍ତିଙ୍କ ସଂଖ୍ୟା ୨୧୩କୁ ବୃଦ୍ଧି ପାଇଛି। ଶୁକ୍ରବାର ସକାଳେ ଚୀନର ପ୍ରାଦେଶିକ ସ୍ୱାସ୍ଥ୍ୟ କର୍ମଚାରୀମାନେ ଘୋଷଣା କରିଛନ୍ତି ଯେ ଖାଲି ହୁବେଇରେ ୫୮୦୬ଜଣ ଏହି ମହାମାରୀରେ ସଂକ୍ରମିତ ହୋଇଛନ୍ତି।

ଚୀନ୍‌ ନାଗରିକଙ୍କୁ ବାଦଦେଲେ ପ୍ରାୟ ୭୫ ଜଣ ବିଦେଶୀ ନାଗରିକ ଭାଇରସ୍‌ ଆକ୍ରାନ୍ତ ଥିବା ଜଣାପଡ଼ିଛି। ହଂକଙ୍ଗରେ ଏ ପର୍ୟ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମାକାଓ ସ୍ବତନ୍ତ୍ର ପ୍ରାଶାସନିକ କ୍ଷେତ୍ରରେ ୭ ଜଣ ଏବଂ ତାଇୱାନ୍‌ରେ ୮ ଜଣଙ୍କର ଭାଇରସ୍‌ ଯୋଗୁଁ ମୃତ୍ୟୁ ହୋଇଛି। ବିଶ୍ବବ୍ୟାପୀ କୋରୋନା ଭାଇରସ୍‌ ନେଇ ଭୟ ବଢ଼ିଚାଲିଛି। ଆମେରିକା ତା’ର ନାଗରିକମାନଙ୍କୁ ଚୀନରୁ ଖାଲି କରାଉଥିବା ବେଳେ ଜାପାନ୍‌, ଋଷ, ଭାରତ ସମେତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସମାନ ପଦକ୍ଷେପ ନେଉଛନ୍ତି। ୠଷ ଆଜି ଚୀନ୍‌ ସହ ତା’ର ୪୩୦୦ କିମି ସୀମାକୁ ବନ୍ଦ କରିଛି।