ଫାରୁକବାଦ,ଏଜେନ୍ସି: ଉତ୍ତରପ୍ରଦେଶର ଫରୁକାବାଦ ଜିଲ୍ଲାରେ ଜଣେ ଦୁର୍ବୃତ୍ତ ଗୁରୁବାର ଅପରାହ୍ନରୁ ପ୍ରାୟ ୨୩ଜଣ ଶିଶୁଙ୍କୁ ଏକ ଘରେ ବନ୍ଦ କରି ରଖିଥିବା ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି । ପୁଲିସ ୨୩ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଉକ୍ତ ଅପହରଣକାରୀକୁ ଗୁଳି କରିଛି। ଏଥିସହ ଏହି ରେସକ୍ୟୁ ଅପରେସନରେ ସାମିଲ ଥିବା ପୁଲିସଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି। ସୂଚନା ଅନୁସାରେ, ସୁଭାଷ ନାମକ ଜଣେ ଦୁର୍ବୃତ୍ତ ଗୁରୁବାର ଅପରାହ୍ନରେ ଝିଅର ଜନ୍ମ ଦିନ ବାହାନାରେ ଗାଁର ପିଲାମାନଙ୍କୁ ନିଜ ଘରକୁ ଡାକିଥିଲା ।
