ସ୍ୱାଭିମାନ ଅଂଚଳର ଜନ୍ତୁରାଇରେ ପହଁଚିଲା ଜିଲ୍ଲା ପ୍ରଶାସନ : କ୍ଷତିପୂରଣ ପାଇଁ ଦେଲେ ପ୍ରତିଶ୍ରୁତି ଜିଲ୍ଲା By Nitidin On Jan 28, 2020 Share କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଜନ୍ତୁରାଇ ଗ୍ରାମରେ ଗ୍ରାମବାସୀ ଶନିବାର ରାତିରେ ମାଓବାଦୀଙ୍କୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଅନ୍ୟ ଆହତ ମାଓବାଦୀକୁ ବିଏସଏଫକୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ମାଓବାଦୀମାନେ ହିଂସାତ୍ମକ ହୋଇ ରାତିରେ ଆସି ଗାଁ ରେ ଥିବା ୧୦ ରୁ ୧୨ ଟି ଘର କୁ ନିଆ ଲଗାଇ ଦେଇଥିଲେ । ତେବେ ବର୍ତ୍ତମାନ ଏତେ ସବୁ ଘଟଣା ଘଟି ଯାଇଥିବା ହେତୁ ବାଧ୍ୟହୋଇ ପାହାଡ଼ ଡେଇଁ ଲୋକଙ୍କ ପାଖରେ ପହଂଚିଛି ଜିଲ୍ଲା ପ୍ରଶାସନ । ସୋମବାର ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏବଂ ଏସପି ଋଷିକେଶ ଖିଲାରୀ ବାଇକ ଯୋଗେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବିଏସଏଫ କ୍ୟାମ୍ପରେ ଆଶ୍ରୟ ନେଇଥିବା ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନେ ନିଜ ଭୁଲ ବୁଝିପାରି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବାରୁ ବହୁତ ଜଲଦି ଆହୁରି ଅଧିକ ବିକାଶ ଏହି ସ୍ୱାଭିମାନ ଅଂଚଳରେ ହୋଇପାରିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ତେବେ ଜନ୍ତୁରାଇ ଗ୍ରାମର ଗ୍ରାମବାସୀଙ୍କ ନିମନ୍ତେ ବିଜୁ ପକ୍କାଘର ଯୋଜନାରେ ଘର ଦିଆଯିବା ସହ ଅନ୍ୟ ଯାହା ସବୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଅଂଚଳରେ ପାନୀୟଜଳ, ଷ୍ଟ୍ରିଟ ଲାଇଟ, ଅଙ୍ଗନବାଡି ଗୃହ ଏବଂ ସରକାରଙ୍କ ସମସ୍ତ ଯୋଜନା କିପରି ଶୀଘ୍ର ପହଞ୍ଚି ପାରିବ ଏନେଇ ଉଭୟ ଜିଲ୍ଲାପାଳ ଏବଂ ଏସପି ଲୋକମାନଙ୍କ ସହ ଆଲୋଚନା କରିଥିଲେ । ତେବେ ସବୁଠାରୁ ବଡ ଆଶ୍ଚର୍ୟ୍ୟର କଥା ଦିନେ ଯେଉଁ ନିରୀହ ଆଦିବାସୀଙ୍କ ସହାୟତାରେ ସ୍ୱାଭିମାନ ଅଂଚଳର ବିକାଶ ଚାହୁନଥିବା ମାଓବାଦୀ ପ୍ରଜାମେଳି ବାରମ୍ବାର କରୁଥିଲେ ଏବଂ ଏହାସହ ବିଏସଏଫ କ୍ୟାମ୍ପକୁ ମଧ୍ୟ ବିରୋଧ କରୁଥିଲେ । କିନ୍ତୁ ଆଜି ସେହି ସ୍ୱାଭିମାନ ଅଂଚଳର ସ୍ୱାଭିମାନ ଅଞ୍ଚଳବାସୀ ହନ୍ତାଳଗୁଡା ପରେ ଏବେ ଯୋଡ଼ାଆମ୍ବରେ ମଧ୍ୟ ବିଏସଏଫ କ୍ୟାମ୍ପ ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି । ତେବେ ଅଂଚଳବାସୀ ନିଜେ ବିକାଶ ମୁଁହା ହୋଇଥିବାରୁ କେତେ ଜଲଦି ପୁରା ସ୍ୱାଭିମାନ ଅଂଚଳକୁ ବିକାଶ ପହଞ୍ଚିପାରିବ ଏହାସହ ପ୍ରଶାସନ ମାଓ ଦମନ କରି ସ୍ୱାଭିମାନ ଅଂଚଳବାସୀଙ୍କୁ ଟିକେ ଶାନ୍ତିରେ ରହିବାକୁ ଦେବ ଆଗାମୀ ଦିନରେ ତାହା ଦେଖିବାକୁ ବାକି ରହିଲା। Share