ଯାଜପୁର,ଏନ୍ଏନ୍ଏସ୍: ଶେଷରେ ନରହନ୍ତା ଦନ୍ତା ହାତୀକୁ କାବୁ କରିବାରେ ସଫଳ ହୋଇଛି ବନ ବିଭାଗ । ଯାଜପୁର ଜିଲ୍ଲା ଦାନଗଦି ନିକଟ କଂଟିପୁର ଜଙ୍ଗଲରେ ଏହି ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରାଯାଇଛି । ନନ୍ଦନକାନନ ଓ ଶିମିଳିପାଳରୁ ଆସିଥିବା ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ୍ ଟିମ୍ ଓ ବନ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ହାତୀଟିକୁ ଠାବ କରାଯିବା ସହିତ ଆଜି ସଂନ୍ଧ୍ୟାରେ ଟ୍ରାଙ୍କୁଲାଇଜ୍ କରାଯାଇଛି । ଆସନ୍ତା କାଲି ହାତୀଟିକୁ ନନ୍ଦନକାନନକୁ ସ୍ଥାନାନ୍ତରିତ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।
ଅନ୍ୟପକ୍ଷରେ ହାତୀ କାବୁ ପରେ ଦାନଗଦି ଅଂଚଳରେ ବିଦ୍ୟୁତ ସରବରାହ ସ୍ୱାଭାବିକ୍ ହୋଇଛି । ୭ ଦିନ ପୂର୍ବେ ଦାନଗଦି ବ୍ଲକ୍ ଅଧିନ ଗୋଡ଼ିଗୋଠ ଗ୍ରାମରେ ଜଣେ ବୃଦ୍ଧଙ୍କୁ ଶୋଇଥିବା ଅବସ୍ଥାରେ ଦଳି ମାରିଥିଲା ହାତୀ । ୪ ଦିନ ପୂର୍ବେ ଏହି ହାତୀ ଆକ୍ରମଣରେ କୋରେଇ ବ୍ଲକ ଶଙ୍ଖଚିଲା ଫାଣ୍ଡି ଅଧିନସ୍ଥ ଗୋଡ଼ିପାଟଣା ଗ୍ରାମରେ ଦୁଇ ଜଣ ପ୍ରାଣ ହରାଇଥିଲେ । ସେହିପରି ଗତକାଲି ହାତୀ ଆକ୍ରମଣରେ ଦାନଗଦି ବ୍ଲକ ଧପଙ୍ଗି ପଂଚାୟତର ଟୁନାଜେନାଙ୍କ ପୁଅ ସତ୍ୟ ଜେନାଙ୍କ ମୃତ୍ୟୁ ଘଟିଥିଲା । ହାତୀ ଆକ୍ରମଣରେ ଅଦ୍ୟାବଧି ୨୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି ।