କଟକ,ଏନ୍ଏନ୍ଏସ୍: କଟକର ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ମା’ ତାରିଣୀ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନୀର ବାଜ୍ୟାପ୍ତ ସମ୍ପତ୍ତିକୁ ନିଲାମ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀର କଟକ ଆଖପାଖରେ ଥିବା ୪୨ ଏକର ଜମି ଓ ଫର୍ଚ୍ୟୁନ୍ ଗାଡ଼ି ବିକ୍ରି କରିବାକୁ ମଧ୍ୟ ଅଦାଲତ କହିଛନ୍ତି। ଏଥିସହିତ ଅଦାଲତ ଉକ୍ତ ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ କରିବାକୁ ଆଦେଶ ଦେଇଛନ୍ତି। ସମ୍ପତ୍ତି ବିକ୍ରି ଟଙ୍କା ଓ ସଂସ୍ଥାର ବିଭିନ୍ନ ବ୍ୟାଙ୍କରେ ଥିବା ୫୧ଲକ୍ଷ ୫୭ ହଜାର ଟଙ୍କାକୁ ସଂସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଣ୍ଟିଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସଂସ୍ଥା ପକ୍ଷରୁ କଟକ, ଖୋର୍ଦ୍ଧା ଓ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଜମାକାରୀଙ୍କୁ ସ୍ୱଳ୍ପ ମୂଲ୍ୟରେ ଜମି ଓ ଘର ଯୋଗାଇବା ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଠକି ନିଆଯାଇଥିଲା। ଭୁବନେଶ୍ୱରର ସହିଦ୍ ନଗରରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଖୋଲି କମ୍ପାନୀ ଏପରି ଭାବେ ଲୋକଙ୍କୁ ଠକି ଚାଲିଥିଲା। ନିରଞ୍ଜନ ରଣା ଏହାର ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ତାଙ୍କ ୨ ଝିଅ ମଧ୍ୟ ସଂସ୍ଥାରେ ଅନ୍ୟତମ ନିର୍ଦ୍ଦେଶକ ଭାବେ ରହିଥିଲେ। ସଂସ୍ଥା ଜରିଆରେ ଶ୍ରୀ ରଣା ଲୋକଙ୍କୁ ଜମି ଓ ଘର ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଆଦାୟ କରିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଲୋକଙ୍କୁ ସେ ଜମି କି ଘର ଦେଉ ନଥିଲେ ଅଥବା ସେମାନଙ୍କ ଟଙ୍କା ମଧ୍ୟ ଫେରାଯାଉନଥିଲା। ଏ ନେଇ ପ୍ରଦୀପ ନନ୍ଦ ନାମକ ଜଣେ ଅଭିଯୋଗକାରୀ ଘଟଣା ସମ୍ପର୍କରେ ସହିଦ୍ ନଗର ଥାନାରେ ସଂସ୍ଥା ବିରୋଧରେ ଅଭିଯୋଗ କରିଥିଲେ।
ସେହିପରି ଏକାଧିକ ଜମାକାରୀଙ୍କ ଅଭିଯୋଗ ଆଧାରରେ ନିରଞ୍ଜନ ରଣା ଗିରଫ ହୋଇଥିଲେ। କଟକର ସ୍ୱତନ୍ତ୍ର ଚିଟ୍ଫଣ୍ଡ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଚିଟ୍ଫଣ୍ଡ କୋର୍ଟରେ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ସୁବ୍ରତ ମହାନ୍ତି ପରିଚାଳନା କରୁଥିଲେ। ଏଥିପୂର୍ବରୁ କଟକର ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ଉମାମଣି ହୋମ କ୍ରିଏସନ୍, ରୋଜ୍ ଭ୍ୟାଲି, ସାଚେକ୍ସ ଇମ୍ପ୍ରା, ଆସ୍ଥା ଗ୍ରୁପ ଅଫ୍୍ କମ୍ପାନୀଜ୍, ଗୋଲ୍ଡେନ୍ ଲ୍ୟାଣ୍ଡ୍ ଡେଭେଲପର୍ସ, ସାଈ ପ୍ରଗତି ଆସେଟ୍ସ ଏଣ୍ଡ୍ ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଏମ୍ଏସ୍ଏସ୍ ଭର୍ଜିନ୍ ୱାର୍ଲ୍ଡ ୱାଇଡ କନସେପ୍ଟ ପ୍ରାଇଭେଟ ଲିମିଟେଡ୍ ଚିଟଫଣ୍ଡ ସଂସ୍ଥାର ବ୍ୟାଜାପ୍ତ ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ କରିବାକୁ ଚିଟଫଣ୍ଡ କୋର୍ଟ ପ୍ରାଧିକୃତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ସାରିଛନ୍ତି।