ରାୟଗଡ଼ା, ଏନ୍ଏନ୍ଏସ୍: ବର୍ଷେ କି ଦୁଇବର୍ଷ ନୁହଁ ନକ୍ସଲ ଗୁଳିରେ ଆହତ ତତ୍କାଳିନ ସରପଞ୍ଚଙ୍କୁ ୧୬ ବର୍ଷ ପରେ ଆରମ୍ଭ ହୋଇଛି ଚିକିତ୍ସାର ବ୍ୟବସ୍ଥା । ଗତ ୨୦୦୩ ମସିହାରେ ନକ୍ସଲ ଗୁଳିରେ ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ କର୍ଲାଘାଟି ପଞ୍ଚାୟତର ତତ୍କାଳିନ ସରପଞ୍ଚ ବଳଭଦ୍ର ଟୁକୁରୁକା ନିଜ ବାମ ଆଖି ହରାଇଥିଲେ। ନଭେମ୍ବର ୧୦ ତାରିଖ ୨୦୦୩ରେ ସେ ନିଜ ଗ୍ରାମ ସମରଲେଣ୍ଡିରୁ ଏକ ଘରୋଇ ବସରେ ରାୟଗଡ଼ା ଜିଲ୍ଲାପାଳଙ୍କ ଭେଟିବାକୁ ଆସିବା ବାଟରେ ତାଙ୍କୁ ନକ୍ସଲମାନେ ଅପହରଣ କରିନେଇଥିଲେ । ପରେ ତାଙ୍କ ବାମ କାନମୁଣ୍ଡା ଏବଂ ଅଣ୍ଟାରେ ଗୁଳି କରି ଜଙ୍ଗଲ ମଧ୍ୟରେ ଛାଡ଼ି ଚାଲିଯାଇଥିଲେ।
ପରେ ସ୍ଥାନିୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଗୁଡ଼ାରି ଏବଂ ପରେ ଗୁଣପୁର ଏବଂ ଶେଷରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଇଥିବା ବେଳେ ସେ ଦୃଷ୍ଟି ଶକ୍ତି ହରାଇଥିଲେ । ତେବେ ୧୬ ବର୍ଷ ପରେ ପୁଣିଥରେ ଜିଲ୍ଲାପ୍ରଶାସନ ତାଙ୍କ ଦୃଷ୍ଟି ଶକ୍ତି ଫେରାଇ ଆଣିବାପାଇଁ ଉଦ୍ୟମ ଆରମ୍ଭ କରିଛି । ଏଥପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ପଠାଯାଇ ଥିବା କହିଛନ୍ତି ରାୟଗଡ଼ା ସିଡ଼ିଏମଓ ଡ଼ାକ୍ତର ଆର୍ତବନ୍ଧୁ ନାୟକ।