ବେନ୍ ଷ୍ଟୋକ୍ସ କ୍ରିକେଟର ଅଫ୍ ଦି ଇୟର: ରୋହିତ ଦିନିକିଆ ପ୍ଲେୟର ଅଫ୍ ଦି ଇୟର

ଦୁବାଇ: ଟିମ୍ ଇଣ୍ଡିଆର ଶର୍ଟଫର୍ମାଟ୍ ଉପଅଧିନାୟକ ରୋହିତ ଶର୍ମାଙ୍କୁ ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ (ଆଇସିସି) ପକ୍ଷରୁ ୨୦୧୯ ବର୍ଷ ପାଇଁ ଦିନିକିଆ ପ୍ଲେୟର ଅଫ୍ ଦି ଇୟର ଘୋଷଣା କରାଯାଇଛି। ତାଙ୍କ ବ୍ୟତୀତ ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ପକ୍ଷରୁ ଉଭୟ ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ଘୋଷଣା କରାଯାଇଛି। ଏହାବାଦ କୋହଲି ‘ସ୍ପିରିଟ୍ ଅଫ୍ କ୍ରିକେଟ୍’ ଆୱାର୍ଡ ପାଇଛନ୍ତି। ଶ୍ରେଷ୍ଠ ଟେଷ୍ଟ ବୋଲର ଅଷ୍ଟ୍ରେଲୀୟ ପ୍ୟାଟ୍ଟ କମିନ୍ସ ଟେଷ୍ଟ ପ୍ଲେୟର ଅଫ୍ ଦି ଇୟର ହୋଇଛନ୍ତି। ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଶ୍ରେଷ୍ଠ କ୍ରିକେଟର ହୋଇଛନ୍ତି। ଆଇସିସି ପକ୍ଷରୁ ଏହି ଆୱାର୍ଡି ତାଲିକାରେ ଅନ୍ୟତମ ଭାରତୀୟ ଭାବେ ଦ୍ରୁତ ବୋଲର ଦୀପକ ଚହର ଟି-୨୦ରେ ପରଫର୍ମାନ୍ସ ଅଫ୍ ଦି ଇୟର ଭାବେ ସାମିଲ ହୋଇଛନ୍ତି।

ରୋହିତ ଶର୍ମା ୨୦୧୯ ବର୍ଷରେ ଶ୍ରେଷ୍ଠ ଫର୍ମରେ ରହିଥିଲେ। ଏହି ବର୍ଷରେ ସେ ୨୮ଟି ଦିନିକିଆ ମ୍ୟାଚ୍ ଖେଳି ୧୪୦୯ ରନ୍ ସଂଗ୍ରହ କରିଥିଲେ। ଏହାମଧ୍ୟରେ ତାଙ୍କର ୭ଟି ଶତକ ରହିଛି। ୨୦୧୯ ଦିନିକିଆ ବିଶ୍ୱକପ୍ରେ ୩୨ ବର୍ଷୀୟ ରୋହିତ ୮୧ ହାରରେ ୯ଟି ମ୍ୟାଚରୁ ୬୪୮ ରନ୍ ସଂଗ୍ରହ କରିଥିଲେ। ଏହାମଧ୍ୟରେ ସେ ୫ଟି ଶତକ ହାସଲ କରି ବିଶ୍ୱରେକର୍ଡ ପ୍ରତିଷ୍ଠା କରିଥିଲେ। ଦିନିକିଆ କ୍ରିକେଟର ଅଫ୍ ଦି ଇୟର ଘୋଷିତ ହେବା ପରେ ରୋହିତ କହିଛନ୍ତି କି, ୨୦୧୯ ପରି ୨୦୨୦ ବର୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ତାଙ୍କର ଲକ୍ଷ୍ୟ ରହିଛି।

୨୦୧୯ ବର୍ଷ ପାଇଁ ଆଇସିସି ପକ୍ଷରୁ ଟେଷ୍ଟ ଓ ଦିନିକିଆ ଦଳ ପ୍ରସ୍ତୁତ କରାଯାଇଛି। ଏହି ଦୁଇ ଦଳର ଅଧିନାୟକ ଭାବେ କୋହଲିଙ୍କୁ ମନୋନୀତ କରାଯାଇଛି। ଏହାଛଡା ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ତାଙ୍କ ଖେଳୁଆଡ ମନୋଭାବ ପାଇଁ ତାଙ୍କୁ ସ୍ପରିଟ୍ ଅଫ୍ କ୍ରିକେଟ୍ ଆୱାର୍ଡ ପାଇଁ ଚୟନ କରାଯାଇଛି। ବଲ୍ ଟ୍ୟାମ୍ପରିଂ ପାଇଁ ବର୍ଷେ ବାସନ୍ଦ ହୋଇ ବିଶ୍ୱକପ୍ ଦଳରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ ଓ ଡେଭିଡ ୱାର୍ଣ୍ଣର ସାମିଲ ହୋଇଥିଲେ।

ଭାରତ ମ୍ୟାଚ୍ରେ ଦର୍ଶକ ଗ୍ୟାଲେରୀରେ ସ୍ମିଥଙ୍କୁ ଚୋର-ଠକ କହି ଭାରତୀୟ ସମର୍ଥକ ଚିଡାଇଥିଲେ। ଏହାକୂୁ କୋହଲି ବ୍ୟାଟିଂ କରିବା ସମୟରେ ନକରିବା ପାଇଁ ଅନୁରୋଧ କରିଥିଲେ। ତାଙ୍କର ଏହି କାର୍ଯ୍ୟପାଇଁ ସେ ସ୍ପିରିଟ୍ ଅଫ୍ କ୍ରିକେଟ୍ରେ ମନୋନୀତ ହୋଇଛନ୍ତି। ନାଗପୁରରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଭାରତୀୟ ଦ୍ରୁତ ବୋଲର ଦୀପକ ଚହର ମାତ୍ର ୭ ରନ୍ଦେଇ ୬ଟି ୱିକେଟ୍ ଅକ୍ତିଆର କରିଥିଲେ। ତାଙ୍କର ଏହି ପ୍ରଦର୍ଶନ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଶ୍ରେଷ୍ଠ ହୋଇଥିବାରୁ ଚହରଙ୍କୁ ଟି-୨୦ରେ ପରଫର୍ମାନ୍ସ ଅଫ୍ ଦି ଇୟର ଘୋଷଣା କରାଯାଇଛି।

  • ଖେଳାଳି ଦେଶ ଆୱାର୍ଡ

ବେନ୍ ଷ୍ଟୋକ୍ସ ଇଂଲଣ୍ଡ ବେଷ୍ଟ କ୍ରିକେଟର ଅଫ୍ ଦି ଇୟର
ରୋହିତ ଶର୍ମା ଭାରତ ଦିନିକିଆ ପ୍ଲେୟର ଅଫ୍ ଦି ଇୟର
ପ୍ୟାଟ୍ଟ କମିନ୍ସ ଅଷ୍ଟ୍ରେଲିଆ ଟେଷ୍ଟ ପ୍ଲେୟର ଅଫ୍ ଦି ଇୟର
ଦୀପକ ଚହର ଭାରତ ଟି-୨୦ ପରଫର୍ମାନ୍ସ ଅଫ୍ ଦି ଇୟର
ମାର୍ଣ୍ଣସ୍ ଲାବୁଶେନ୍ ଅଷ୍ଟ୍ରେଲିଆ ଏମର୍ଜି କ୍ରିକେଟର ଅଫ୍ ଦି ଇୟର
କାଇଲ କୋଏଜର ସ୍କଟଲାଣ୍ଡ ଆସୋସିଏଟ୍ କ୍ରିକେଟର ଅଫ୍ ଦି ଇୟର
ବିରାଟ କୋହଲି ଭାରତ ସ୍ପିରିଟ୍ ଅଫ୍ କ୍ରିକେଟ୍ ଆୱାର୍ଡ
ରିଚାର୍ଡ ଇଲିଂଓର୍ଥ ଇଂଲଣ୍ଡ ଆମ୍ପାୟାର ଅଫ୍ ଦି ଇୟର