ଯାଜପୁର,ଏନ୍ଏନ୍ଏସ୍: ପବିତ୍ର ମକର ସଂକ୍ରାନ୍ତି ଅବସରରେ ବିଭିନ୍ନ ଦେବାଦେବୀଙ୍କ ପୀଠରେ ଭିଡ଼ ଜମିଥିବା ବେଳେ ଯାଜପୁର ଜିଲ୍ଲାରେ ଏହା ଖୁବ୍ ଧୁମ୍ଧାମରେ ପାଳନ କରାଯାଇଥାଏ। ଏହି ଅବସରରେ ଯାଜପୁର ଜିଲ୍ଲା ମଇଁଦା ସ୍ଥିତ ବରୁଣେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ। ତେବେ ପ୍ରତିବର୍ଷ ପରି ଚଳିତ ବର୍ଷରେ ଭକ୍ତମାନେ ଭୋର ୪ଟାରୁ ବାବା ବରୁଣେଶ୍ୱରଙ୍କ ଦର୍ଶନ ପାଇଁ ମନ୍ଦିର ପରିସରରେ ଧାଡି ଲଗାଇଥିଲେ। ତେବେ ଏହି ପର୍ବଟି ୭ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏହା ବରୁଣେଶ୍ୱର ମେଳା ନାମରେ ଖୁବ୍ ପରିଚିତ। ମନ୍ଦିର ପରିସରରୁ ଭୋର ୪ଟାରୁ ଜଳକୁ ନିଷ୍କାସନ କରିବା ପରେ ବଡ଼ ସିଂହାର ବେଶ କରାଯାଇଥିଲା। ପରେ ବାବା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ବିଞ୍ଝାରପୁର ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବାବା ବରୁଣେଶ୍ୱରଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଛନ୍ତି।
ଏହି ମନ୍ଦିରଟି ସୋମ ବଂଶ କାଳରେ ନିର୍ମିତ ହୋଇଥିବା ବିଶ୍ୱାସ କରାଯାଏ ଏବଂ ମନ୍ଦିର ପରିସରରେ ରହିଥିବା ବରୁଣ ବୃକ୍ଷକୁ ପ୍ରଭୁ ବରୁଣେଶ୍ୱର ଭାବେ ପୂଜା କରାଯାଏ। କାରଣ ଏହି ବୃକ୍ଷଟିର କୌଣସି କ୍ଷୟ ନାହିଁ କିମ୍ବା ବୃଦ୍ଧି ନାହିଁ। ସେଥିପାଇଁ ମକର ସଂକ୍ରାନ୍ତିରେ ପ୍ରଭୁ ବରୁଣେଶ୍ୱରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି।
ସେହିପରି ଆଜି ଠାରୁ ଏହି ପୀଠରେ ୭ ଦିନ ଧରି ମେଳାର ମଧ୍ୟ ଆୟୋଜନ ହେଉଛି। ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହି ମେଳାରେ ୬ଟି ଯାତ୍ରା ପାଟି ମଧ୍ୟ ୫ଦିନ ଧରି ନାଟକ ପରିବେଷଣ କରିଥିବା ବେଳେ ୨୫୦ରୁ ଊର୍ଦ୍ଧ୍ୱ ଉଠା ଦୋକାନ ଲାଗିଥାଏ।