ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ମଙ୍ଗଳବାର ପାର୍କିଂ ସ୍ଥଳୀରେ ଜଣେ ଶିଖ୍ ଯୁବକଙ୍କୁ ପୁଲିସ ଉପସ୍ଥିତିରେ ଦୁର୍ବୃତ୍ତମାନେ ନିର୍ଦ୍ଧୁମ ମାଡ଼ ମାରିବା ଘଟଣାରେ ଆଜି ୨ଜଣ ଗିରଫ ହୋଇଛନ୍ତି। ଏହି ଘଟଣାକୁ ନେଇ ସାଧାରଣରେ ପୁଲିସକୁ ନିନ୍ଦା କରାଯାଉଥିବା ବେଳେ ପୁଲିସ କମିସନର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ପକ୍ଷରୁ ଭର୍ତ୍ସନା କରାଯାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ପୁଲିସର ଖାମଖିଆଲ ମନୋଭାବ ଲାଗି ଗୃହମନ୍ତ୍ରୀ, ଗୃହରାଷ୍ଟ୍ର ମନ୍ତ୍ରୀ, ପୁଲିସ କମିସନର, ଡିଜିପି ଓ ଡିସିପି ନୈତିକତାର ସହ ଉତ୍ତରଦାୟିତ୍ୱ ନିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ ଗତକାଲି ଲକ୍ଷ୍ମୀସାଗର ଅଞ୍ଚଳରୁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପରବିନ୍ଦର ପାଲ ନାମକ ଯୁବକ ସ୍କୁଲ ଛୁଟି ପରେ ନିଜ ଝିଅକୁ ନେଇ ଘରକୁ ଯାଉଥିଲା। ଏହି ସମୟରେ କେତେକ ଯୁବକ ଆପାର୍ଟମେଣ୍ଟ ସମ୍ମୁଖ ରାସ୍ତାକୁ ଅବରୋଧ କରି ରଖିଥିଲେ। ପରବିନ୍ଦର ସେମାନଙ୍କୁ ସାଇଡ୍ ମାଗିଥିଲେ। କିନ୍ତୁ ଏଥିରେ ଉକ୍ତ ଯୁବକମାନେ ଉତ୍କ୍ଷିପ୍ତ ହୋଇଯାଇଥିଲେ। ଏଥିସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହପରବିନ୍ଦରଙ୍କୁ ଆକ୍ରମଣ କରିଥିଲେ। ସେ ଜୀବନ ବଞ୍ଚାଇବାକୁ ଯାଇ ଆପାର୍ଟମେଣ୍ଟ ଭିତରକୁ ପଶି ପୁଲିସକୁ ଫୋନ୍ କରିଥିଲେ। ଖବରପାଇ ପିସିଆର୍ ଭ୍ୟାନ୍ ଘଟଣାସ୍ଥଳକୁ ଆସିଥିଲା। ପରେ ପୁଲିସ ପରବିନ୍ଦରଙ୍କୁ ତଳକୁ ଡାକିଥିଲେ। ପରବିନ୍ଦର ପୁଲିସ ବଳରେ ସେଠାକୁ ଆସିବା ପରେ ଉକ୍ତ ଯୁବକମାନେ ପୁଲିସ ସମ୍ମୁଖରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ଆଖି, କାନ, ନାକ ଓ ପେଟରେ ଗଭୀର ଆଘାତ ଲାଗିଛି। ଏପରିକି ଯୁବକମାନେ ତାଙ୍କ ପଗଡ଼ିକୁ କାଢ଼ି ତଳକୁ ଫିଙ୍ଗି ଦେଇଥିଲେ। ପରେ ତାଙ୍କ ମୁଣ୍ଡକୁ ଇଟାରେ ଛେଚି ଦେବାକୁ ଉଦ୍ୟମ କରିଥିଲେ।
ପୁଲିସ ସମ୍ମୁଖରେ ଏସବୁ ଘଟଣା ଘଟିଥିଲେ ମଧ୍ୟ ପୁଲିସ ଚୁପ ଥିଲା। ଆକ୍ରମଣକାରୀ ଯୁବକ ପରବିନ୍ଦରଙ୍କୁ ଆକ୍ରମଣ କରିବା ପରେ ପୁଲିସ ସହ କଥାବାର୍ତ୍ତା ହୋଇ ସେଠାରୁ ଖସି ଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ପିସିଆର୍ ଭ୍ୟାନ୍ ଇନ୍ଚାର୍ଜଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ବୋଲି ଅତିରିକ୍ତ ପୁଲିସ କମିସନର୍ ଅନୁପ ସାହୁ କହିଛନ୍ତି। ସେହିପରି ଅଭିଯୁକ୍ତମାନେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସୁକାନ୍ତ ରାଉତ ଏବଂ ଦୀପକ ମହାନ୍ତି।