ଭିତରକନିକାରେ ପକ୍ଷୀ ଗଣନା ଶେଷ: ‘୪୧ ପ୍ରଜାତିର ୯୨୬୭ ପକ୍ଷୀ ଅଧିକ ଆସିଛନ୍ତି’

ରାଜନଗର,ଏନ୍ଏନ୍ଏସ୍: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ମାସ ୬ ତାରିଖ ଦିନ ବନବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଏହା ଜଣାପଡ଼ିଛି। ଗତବର୍ଷ ଭିତରକନିକାରେ ୧ ଲକ୍ଷ ୯ ହଜାର ୦୫୯ ଭିଡ଼ ଜମାଇଥିବା ବେଳେ ଚଳିତବର୍ଷ ୧ ଲକ୍ଷ ୧୮ ହଜାର ୩୨୬ ପକ୍ଷୀ ଆସିଛନ୍ତି। ଅର୍ଥାତ ଗତବର୍ଷ ଠାରୁ ଚଳିତବର୍ଷ ଭିତରକନିକାକୁ ୯୨୬୭ ପକ୍ଷୀ ଅଧିକ ଆସିଥିବା ଜଣାପଡ଼ିଛି। ଗତବର୍ଷ ଭିତରକନିକାକୁ ୭୪ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୧୧୫ ପ୍ରଜାତିର ପକ୍ଷୀ ଆସିଛନ୍ତି।

ଚଳିତବର୍ଷ ଭିତରକନିକାରେ କମନପୋଚାର୍ଡ ପକ୍ଷୀ ଦେଖିବାକୁ ମିଳିଛି। ଗତ ୫ ବର୍ଷ ଧରି ଏହି ପକ୍ଷୀଙ୍କୁ ଦେଖିବାକୁ ମିଳୁନଥିଲା। ଚଳିତବର୍ଷ ଏହି ଜାତୀୟ ୧୧ଟି ପକ୍ଷୀଙ୍କୁ ଗଣନା ବେଳେ ଚିହ୍ନଟ କରାଯାଇଛି ବୋଲି ରାଜନଗର ଡିଏଫ୍ଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଚଳିତମାସ ୬ ତାରିଖ ଦିନ ୧୬ଟି ଟିମ ଭିତରକନିକା ଅଭୟାରଣ୍ୟ ଓ ମହାନଦୀ ଡେଲଟା ଅଞ୍ଚଳରେ ଭିଡ଼ ଜମାଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା। ଭିତରକନିକା ଅଭୟାରଣ୍ୟ ଅଞ୍ଚଳରେ ୯ଟି ଟିମ ଓ ମହାନଦୀ ଡେଲଟା ଅଞ୍ଚଳରେ ୭ଟି ଟିମ ପକ୍ଷୀଗଣନା କରିଥିଲେ।

ପକ୍ଷୀବିଷାରଦ ଡଃ. ଏସ୍ ବାଲଚନ୍ଦ୍ରନ, ସୁନିଲ ଦତ୍ତ, ଡଃ. ଶିବ ପରିଡ଼ା, ଡଃ. ବିଶ୍ୱଜିତ ମହାନ୍ତି, ମାଇକେଲ ପିଟର ପ୍ରମୁଖ ୫୮ଜଣ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଗଣନା ସମୟରେ ଭିତରକନିକାକୁ ୧୧୫ ପ୍ରକାରର ୧ ଲକ୍ଷ ୧୮ ହଜାର ୩୨୬ଟି ପକ୍ଷୀ ଆସିଛନ୍ତି। ଗତବର୍ଷ ଭିତରକନକାକୁ ୭୪ ପ୍ରକାରର ୧ ଲକ୍ଷ ୯ହଜାର ୦୫୯ ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୧୧୫ ପ୍ରକାରର ପକ୍ଷୀ ଆସିଛନ୍ତି।

ଚଳିତବର୍ଷ ଗ୍ରେବ୍ସ ଜାତୀୟ ପକ୍ଷୀ ଦୁଇପ୍ରକାରର ୧୫ଟି, ୪ ପ୍ରକାରର କର୍ମୋରାଣ୍ଟସ ଓ ଡାର୍ଟର ଜାତୀୟ ପକ୍ଷୀ ୨୩୮୪ଟି, ୧୦ ପ୍ରକାରର ହେରୋନ, ଇଗ୍ରେଟ୍ସ ଓ ବିଟନର୍ସ ଜାତୀୟ ପକ୍ଷୀ ୮୦୬୪ଟି, ୩ ପ୍ରକାର ଷ୍ଟ୍ରୋ୍ରର୍କସ ଜାତୀୟ ପକ୍ଷୀ ୫୦୯୨ଟି, ୨ ପ୍ରକାରର ଇବିଲ୍ସ ଓ ସ୍ପୁନବିଲ ଜାତୀୟ ପକ୍ଷୀ ୭୯୨ଟି, ୧୪ ପ୍ରକାରର ଗିଜ ଓ ଡକ ଜାତୀୟ ପକ୍ଷୀ ୭୮,୩୧୨ଟି, ରେଲସ, ଗ୍ୟାଲିନର୍ସ ଓ କୁଟ ଜାତୀୟ ପକ୍ଷୀ ୪ ପ୍ରକାରର ୪,୬୮୩ଟି, ୨ପ୍ରକାରର ଫିନପୁଟସ ଓ ଜାକାନାସ ଜାତୀୟ ପକ୍ଷୀ ୩୪୯ଟି, ୨୮ ପ୍ରକାରର ସୋରବାର୍ଡସ ଓ ୱାର୍ଡସ ଜାତୀୟ ପକ୍ଷୀ ୯୮୩୭ଟି, ୫ ପ୍ରକାରର ଗୁଲସ, ଟେନର୍ସ, ସ୍କିମର ଜାତୀୟ ପକ୍ଷୀ ୭,୭୯୯ଟି ଓ ୩୧ ପ୍ରକାରର ୱାଟର୍ସ ଜାତୀୟ ପକ୍ଷୀ ୯୯୪ଟି ଭିଡ଼ ଜମାଇଥିବା ଗଣନା ବେଳେ ଜଣାପଡ଼ିଛି।

ହଜାର ହଜାର ପଥ ଅତିକ୍ରମ କରି ସୁଦୂର ମାଲେସିଆ, ଶ୍ରୀଲଙ୍କା, ପାକିସ୍ତାନ, ଜାପାନ ଆଫଗାନିସ୍ତାନ ଆଦି ଦେଶରୁ ବିଦେଶୀ ପକ୍ଷୀମାନେ ଭିତରକନିକାରେ ଭିଡ଼ ଜମାଇଛନ୍ତି। ସେମାନଙ୍କ କାକଳିରେ ଭିତରକନିକା କୋଳାହଳମୟ ହୋଇ ଉଠିଛି। ସାଧାରଣତଃ ଖୋଲାଜାଗା, ଧାନବିଲ, ନଦୀପଠା ଓ ଜଳାଶୟ ଗୁଡ଼ିକରେ ଅଧିକ ସଂଖ୍ୟକ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଛି।