ଗୁଣିଗାରେଡ଼ି ଉପରେ ବିଶ୍ୱାସ କରୁଥିବା ଗର୍ଭବତୀଙ୍କୁ ବୁଝାଇ ମେଡ଼ିକାଲ ପଠାଇଲେ ଡାକ୍ତର

ମାଲକାନଗିରି,ଏନ୍ଏନ୍ଏସ୍: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଉଥିବା ବେଳେ ତାହା ଆଜି ପୁଣି ମାଲକାନଗିରି ଅଞ୍ଚଳରେ ପ୍ରମାଣିତ ହୋଇଛି। ଅଞ୍ଚଳରେ ଲୋକମାନେ ଗୁଣିଗାରେଡି ଉପରେ ଆଖିବୁଜି ବିଶ୍ୱାସ କରୁଥିବା ବେଳେ ସେଠାରେ ସୋମବାର ଜଣେ ଡାକ୍ତର ଜଣେ ଗର୍ଭବତୀ ମହିଳାଙ୍କୁ ବୁଝାଇ ଡାକ୍ତରଖାନାକୁ ପଠାଇଛନ୍ତି। ତେବେ ସେଠାକାର ଲୋକ କୌଣସି ରୋଗ ହେଲେ ଡାକ୍ତରଖାନା ନଯାଇ ଗଣିଗାରେଡି ଉପରେ ଭରସା କରିଥାନ୍ତି। ସେହିପରି ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଅନେକ ଡାକ୍ତର ନିଜର ମାନବିକତା ଦେଖାଇ ସମାଜକୁ ଭିନ୍ନ ବାର୍ତ୍ତା ଦେଇଛନ୍ତି। କେତେବେଳେ ଗର୍ଭବତୀଙ୍କୁ ଭାରରେ ବୋହି ହସ୍ପିଟାଲ ନେବା ତ କେତେବେଳେ ଖଟିଆରେ।

ତେବେ ବର୍ତ୍ତମାନ ଗୁଣିଗାରେଡ଼ି ଉପରେ ବିଶ୍ୱାସ ରଖିଥିବା ଜଣେ ଗର୍ଭବତୀଙ୍କୁ ବୁଝାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇବା ଭଳି ଅଭିନବ ପ୍ରୟାସ କରି ଚର୍ଚ୍ଚାରେ ଅଛନ୍ତି, ଆଉ ଜଣେ ଡାକ୍ତର। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ୍ ଅନ୍ତର୍ଗତ ବାଲିଗୁଡ଼ା ଗ୍ରାମରେ। ଗ୍ରାମର ରାଧା ପେଦା ନାମକ ମହିଳା ଗର୍ଭବତୀ ଥିଲେ। ସେ ଡାକ୍ତରଙ୍କ ଚିକିତ୍ସା ଉପରେ ଭରସା ନଥିବାରୁ ଗୁଣିଗାରେଡ଼ି ଉପରେ ବିଶ୍ୱାସ ରଖିଥିଲେ। ତେଣୁ ତାଙ୍କର ଅନ୍ଧ ବିଶ୍ୱାସ ଦୂର କରିବା ପାଇଁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଆଗେଇ ଆସିଥିଲେ।

ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମୀୟ କୁମାର ସ୍ୱାଇଁ ନିଜେ ରାଧାଙ୍କ ଗ୍ରାମକୁ ଯାଇ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ସୁବିଧା ଓ ସରକାରଙ୍କ ଯୋଜନା ସମ୍ପର୍କରେ ବୁଝାଇଥିଲେ। ଏହାପରେ ତାଙ୍କୁ ନିଜେ ତାଙ୍କ ବୋଲେରୋ ଗାଡ଼ି ଆଣି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଡାକ୍ତରଙ୍କ ଏଭଳି ମାନବିକତା ଓ ପ୍ରୟାସକୁ ଜିଲ୍ଲାର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।