ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ଆଦିବାସୀଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ପିଛା ଛାଡୁନାହିଁ। ଯାହାର କରୁଣ ପରିଣତି ହତ୍ୟାକାଣ୍ଡ ଭଳି ଘଟଣା ଅନେକବାର ଘଟିଛି। ଆଉ ଗତକାଲି ରାତିରେ ଏହିଭଳି ଏକ ଘଟଣା ଘଟିବାରୁ ବର୍ତିଯାଇଛନ୍ତି ଗୋଟିଏ ଆଦିବାସୀ ଦମ୍ପତି। ଏହି ଦମ୍ପତି ହେଉଛନ୍ତି ମହେଶ୍ୱର ହୁଇକା ଓ ତାଙ୍କ ପତ୍ନୀ ରାତ୍ନାଲୁ ହୁଇକା। ସେମାନଙ୍କ ଘର ଚାନ୍ଦିଲି ଥାନା ଅନ୍ତର୍ଗତ ମାଲିଗାଁ ଗ୍ରାମରେ।
ଘଣାରୁ ପ୍ରକାଶ ଯେ, ସ୍ୱାସ୍ଥ୍ୟ ଖରାପ ଯୋଗୁଁ ମହେଶ୍ୱର ଗତ କିଛିଦନ ହେବ ବୁର୍ଲାରେ ଚିକିତ୍ସିତ ହେଉଥିଲେ। ହେଲେ ମହେଶ୍ୱର ଗାଁରେ ଗୁଣିକରି ବୁର୍ଲା ଚାଲିଯାଇଥିବା ଗ୍ରାମର ଅନ୍ୟ ଲୋକେ ଅଭିଯୋଗ କରୁଥିଲେ। ଏଭଳିକି ଜଣକୁ ଜ୍ୱର ନଛାଡିବାରୁ ଏହି ସନ୍ଦେହ ବଢିଥିଲା। ଏହାକୁ କେନ୍ଦ୍ରକରି ଗତକାଲି ଅପରାହ୍ଣରେ ପାଟିତୁଣ୍ଡ ହୋଇଥିଲା। ତେବେ ମହେଶ୍ୱର ଜଣେ ହୃଦ ରୋଗୀ ହୋଇଥିବାରୁ ସେ ଏହାକୁ ସମ୍ଭାଳି ପାରିନଥିଲେ। ଗାଁର ପ୍ରାୟ ୨୫ ଜଣ ଯୁବକ ତାଙ୍କ ଉପରେ ଆକ୍ରମଣ ଯୋଜନା କରିଥିଲେ। ଏନେଇ ବୈଠକ ମଧ୍ୟ ହୋଇଥିଲା।
ଅପରାହ୍ଣରେ ଘରେ ପଶି ପାଟିତୁଣ୍ଡ କରିବା ସହିତ ତାଙ୍କ ଝିଅ ଓ ପତ୍ନୀକୁ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ତେବେ ଗତକାଲି ରାତିରେ ଆକ୍ରମଣ ଉଦ୍ୟମ ପୂର୍ବରୁ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ମହେଶ୍ୱର ଓ ତାଙ୍କ ପତ୍ନୀ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ତାଙ୍କ ସାନପୁଅ ସମ୍ବଲପୁରରେ ଚାକିରୀ କରୁଥିବା ବେଳେ ବଡପୁଅ ଭୟଭୀତ ଅବସ୍ଥାରେ ଲୁଚିଥିବା ଜଣାପଡିଛି। ହେଲେ ଭୟରେ ସେ ପୁଲିସରେ ଗତକାଲି ଅଭିଯୋଗ ମଧ୍ୟ କରିନାହାଁନ୍ତି। ପୂର୍ବରୁ କିନ୍ତୁ ଅଭିଯୋଗ କରିଥିଲେ। ତେବେ ଫଳପ୍ରଦ ହୋଇନଥିଲା।
ଘଟଣା ସମ୍ପର୍କରେ ଏସଡିପିଓ ତପନ ନାରାୟଣ ରଥ କହିଛନ୍ତି ଯେ, ଆମକୁ କୌଣସି ଅଭିଯୋଗ ମିଳିନାହିଁ। ତଥାପି ସୂଚନା ପାଇବାପରେ ଗୋଟିଏ ପୁଲିସ ଟିମ ଗାଁକୁ ଯାଇ ଅନୁସନ୍ଧାନ କରିଛନ୍ତି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଗ୍ରାମବାସୀଙ୍କୁ ସଚେତନ କରାଯିବ।