ବଜ୍ରକାପ୍ତା ଚୋରାଚାଲାଣ ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କା ପୁରସ୍କାର

ଭୁବନେଶ୍ୱର,ଏନ୍ଏନ୍ଏସ: ରାଜ୍ୟରେ ବିରଳ ବଜ୍ରକାପ୍ତାର ଚୋରା ଚାଲାଣକୁ ନେଇ ପୁଲିସ ପ୍ରଶାସନ ଓ ବନବିଭାଗର ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ଆଠଗଡ ବନାଂଞ୍ଚଳରେ ଚୋରାଚାଲାଣ ର୍ୟାକେଟ୍ ଅଧିକ ସକ୍ରିୟ ରହିଛି। ତେବେ ଏହି ଚାଲାଣ ରୋକିବା ପାଇଁ ବଡ ପଦକ୍ଷେପ ନେଇଛି ବନାଂଚଳ ବିଭାଗ ।

ଯେକୌଣସି ବ୍ୟକ୍ତି ବଜ୍ରକାପ୍ତା ଚାଲାଣ ବିଷୟରେ ସୂଚନା ଦେଲେ ମିଳିବ ପୁରସ୍କାର । ବନାଞ୍ଚଳ ଅଧିକାରୀ ଆଠଗଡ଼ ବନାଞ୍ଚଳରେ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଲୋକଙ୍କୁ ସଚେତନ କରାଇଛି। ବଜ୍ରକାପ୍ତା ଧରିବା କିମ୍ବା କୌଣସି ଚୋରାଚାଲାଣର ସୂଚନା ଦେଲେ ଦଶ ହଜାର ଟଙ୍କା ପୁରସ୍କାର ଦେବାକୁ ବନବିଭାଗ ଘୋଷଣା କରିଛି । ପୂର୍ବରୁ ଆଠଗଡ଼ ଅଞ୍ଚଳରୁ ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ଏପର୍ଯ୍ୟନ୍ତ ୧୨ ଜଣ ଗିରଫ ହୋଇଛନ୍ତି ।

ବଜ୍ରକାପ୍ତା କାତିରେ ଅନେକ ଔଷଧୀୟ ଗୁଣ ରହିଥିବାବେଳେ ଏହାକୁ ବୁଲେଟ ପ୍ରୁଫ୍‍ ଜ୍ୟାକେଟରେ ବ୍ୟବହାର କରାଯାଉଥିବାରୁ ବିଦେଶରେ ଏହାର ଚାହିଦା ରହିଛି । ସୋସିଆଲ ମିଡିଆରେ ବଜ୍ରକାପ୍ତା ବିକ୍ରି ନେଇ ଡିଲ୍‍ ଫାଇନାଲ ହେବା ପରେ ଅନ୍ୟ ରାଜ୍ୟ ଓ ବିଦେଶକୁ ଚୋରାଚାଲାଣ କରୁଥିଲେ ଦଲାଲ । ବଜ୍ରକାପ୍ତାର କାତି ଓ ଓଜନ ହିସାବରେ ଟଙ୍କା ଦେଉଥିଲେ ଦଲାଲ । କିଲୋ ପିଛା ୧ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା ବଜ୍ରକାପ୍ତା ।