ନିର୍ଭୟା ଦୋଷୀଙ୍କୁ ନିଜ ହାତରେ ଫାଶି ଦେବାକୁ ଚାହୁଁଛନ୍ତି ମହିଳା ଶୁଟର

ଲକ୍ଷ୍ନୌ,ଏଜେନ୍ସି: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କୁ ନିଜ ହାତରେ ଫାଶୀ ଦେବାକୁ ଦାବି କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିମନ୍ତେ ମହିଳା ଶୁଟର ରକ୍ତରେ ଏକ ଚିଠି ଲେଖିଛନ୍ତି। ନିର୍ଭୟାର ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଜଣେ ମହିଳା ହିଁ ଫାଶି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
ଏ ନେଇ ବର୍ତ୍ତିକା ପତ୍ରରେ ଲେଖିଛନ୍ତି ଯେ “ନିର୍ଭୟା ଦୋଷୀମାନଙ୍କୁ ମୋ ଦ୍ୱାରା ହିଁ ଫାଶି ଦିଆଯିବା ଆବଶ୍ୟକ। ଏହା ସମ୍ପୂର୍ଣ୍ଣ ଦେଶକୁ ଏକ ବର୍ତ୍ତା ଦେବ ଯେ, ଜଣେ ମହିଳା ମଧ୍ୟ ଜହ୍ଲାଦ ସାଜି ଫାଶି ଦେଇ ପାରିବ”। ଏଥିସହିତ “ମୁଁ ଚାହୁଁଛି ସମସ୍ତ ମହିଳା କଳାକାର ଏବଂ ସାଂସଦମାନେ ମୋତେ ସମର୍ଥନ କରନ୍ତୁ। ମୋର ବିଶ୍ୱାସ ଏହା ସମାଜରେ ଏକ ବିରାଟ ପରିବର୍ତ୍ତନ ଆଣିବ”।
ଅନ୍ୟପଟେ ବର୍ତ୍ତିକାଙ୍କ ଏହି ପତ୍ରକୁ ନେଇ ସାମାଜିକ ଗଣମାଧ୍ୟମ ସମେତ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। କିଛି ଲୋକ ତାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ନାଟକ କହିବା ସହ ବିରୋଧ କରିଛନ୍ତି।