କର୍ଣ୍ଣାଟକ ଉପନିର୍ବାଚନ: ୟେଦୁରପ୍ପା ସୁରକ୍ଷିତ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗତ ସପ୍ତାହରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେପି ବାଜିମାତ୍ କରିଛି। ୧୫ ବିଧାନସଭା ଆସନ ପାଇଁ ହୋଇଥିବା ଏହି ଉପନିର୍ବାଚନରେ ବିଜେପି ୧୨ ଆସନ ଅକ୍ତିଆର କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ରିଷ୍ଣରାଜପେଟେ ଗ୍ରାମାଞ୍ଚଳ ଆସନରେ ବିଜେପି ପ୍ରାର୍ଥୀ ନାରାୟଣ ଗୌଡ଼ା ଜେଡିଏସ୍ ପ୍ରାର୍ଥୀ ଦେବରାଜଙ୍କୁ ହରାଇ ଉଲ୍ଲେଖନୀୟ ବିଜୟ ହାସଲ କରିଛନ୍ତି। ଏହି ନିର୍ବାଚନମଣ୍ଡଳୀ ଜେଡିଏସ୍ ଦୁର୍ଗ ଭାବେ ପରିଚିତ ଥିଲା।

ଗତ ଜୁଲାଇ ମାସରେ ତତ୍କାଳୀନ ଏଚ୍ଡି କୁମାରସ୍ୱାମୀଙ୍କ ସରକାର ବିରୋଧରେ କଂଗ୍ରେସ ଓ ଜେଡିଏସ୍ ର ୧୭ ବିଧାୟକ ବିଦ୍ରୋହ ଘୋଷଣା କରିବାରୁ ଦଳବଦଳ ନିରୋଧ ଆଇନ ଅନୁଯାୟୀ ସେମାନେ ଅଯୋଗ୍ୟ ଘୋଷିତ ହେବାପରେ ସରକାର ଭାଙ୍ଗିଯିବାରୁ ୟେଦିୟୁରାପ୍ପାଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହୋଇଥିଲା। ତେବେ ୟେଦିୟୁରାପ୍ପାଙ୍କ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ୬ ବିଧାୟକଙ୍କ ଆବଶ୍ୟକ ପଡୁଥିଲାବେଳେ ଉପନିର୍ବାଚନରେ ଦଳର ୧୨ ବିଧାୟକ ନିର୍ବାଚିତ ହୋଇଛନ୍ତି।

ବିଜେପିର ଏବେ ବିଧାନସଭାରେ ୧୦୫ ଜଣ ବିଧାୟକ ରହିଛନ୍ତି। ଏହି ୧୫ ଆସନରେ ଉପନିର୍ବାଚନ ପରେ ବିଧାନସଭାର ସଦସ୍ୟ ସଂଖ୍ୟା ୨୨୪କୁ ବୃଦ୍ଧି ପାଇଛି। ଫଳରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାପାଇଁ ମ୍ୟାଜିକ୍ ନମ୍ବର ୧୧୨ ହୋଇଛି। ବିଜେପିର ୧୨ ବିଧାୟକ ଉପନିର୍ବାଚନରେ ବିଜୟୀ ହୋଇଥିବାରୁ ୟେଦିୟୁରାପ୍ପାଙ୍କ ସରକାର ପାଇଁ ବିପଦ ଟଳିଯାଇଛି।